ପୂର୍ବାପେକ୍ଷା ଚାଷୀଙ୍କ ଆୟ କମିଛି: କଂଗ୍ରେସ

ଭୁବନେଶ୍ବର, ୨୫ା୪(ବ୍ୟୁରୋ) : ଓଡ଼ିଶା ସରକାର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ୨୦୧୨-୧୩ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି କୃଷକଙ୍କ ଆୟକୁ ସରକାର ଦ୍ୱିଗୁଣିତ କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଆଜି ଯାହା ବର୍ଣ୍ଣନା କରୁଛି ତାହା ରାଜ୍ୟର ନବୀନ ସରକାରଙ୍କର ଦୃଢ଼ୋକ୍ତି ଏକ ବୃଥା ଆସ୍ଫାଳନ ବୋଲି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି। କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଜନୀ କହିଛନ୍ତି, ୨୦୧୨-୧୩ରୁ ଆରମ୍ଭ କରି ୨୦୨୨-୨୩, ଏହି ୧୦ ବର୍ଷରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ ୨୦୧୨-୧୩ ଆୟ ଠାରୁ ୩ ଟଙ୍କା କମିଛି। ତଥ୍ୟ ଆଧାରରେ ୨୦୧୨-୧୩ରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୪୯୫୩ ଟଙ୍କା ଥିଲା। କିନ୍ତୁ ୨୦୨୨ରେ ରାଜ୍ୟର ଏକ କୃଷକ ପରିବାରର ବାର୍ଷିକ ଆୟ ୫୯,୪୪୦ ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହି ହିସାବ ଅନୁପାତରେ ଗୋଟେ କୃଷକ ପରିବାର ମାସକୁ ଆୟ ୪୯୫୦ ଟଙ୍କା ପାଖାପାଖି ଅଟେ। ଅର୍ଥାତ ଏହି ଦଶ ବର୍ଷ ଭିତରେ ନବୀନ ପଟ୍ଟନାୟକ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସଫଳ ହୋଇନାହାନ୍ତି ବୋଲି ଏହି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ରଜନୀ କହିଛନ୍ତି।