ଗଞ୍ଜାମରେ ଧିମେଇଛି ଚାଷୀ ପଞ୍ଜିକରଣ : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି ଦାବି

ଛତ୍ରପୁର,୨୬।୮(ଡି.ଏନ୍‌.ଏ.): ଧାନ ବିକିବା ନେଇ ଚାଷୀଙ୍କ ନାମ ଅନଲାଇନ୍‌ ପଞ୍ଜିକରଣ ଅବଧି ଚଳିତ ମାସ ୩୧ ତାରିଖରେ ସରିବ । ଅପରପକ୍ଷରେ କରୋନା କଟକଣା ନେଇ ଗଞ୍ଜାମ ଜିଲାରେ ଚାଷୀ ପଞ୍ଜିକରଣ ଧିମେଇ ଯାଇଛି। ଆଉ ମାତ୍ର ୫ ଦିନ ବାକି ଥିବାରୁ ଏହି ସମୟରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ସମ୍ଭବ ନୁହେଁ । ତେଣୁ ଅବଧି ବୃଦ୍ଧିଲାଗି ଦାବି ହୋଇଛି।
ପ୍ରକାଶଯୋଗ୍ୟ, ପଞ୍ଜିକରଣ ନ ହେଲେ ଚଳିତବର୍ଷ ଚାଷୀ ଧାନ ବିକିପାରିବେ ନାହିଁ । ଋଣ ନେଇ ଚାଷ କରିଥିବା ବେଳେ ସରକାରୀ ଧାର୍ଯ୍ୟ ଦରରେ ନ ବିକିଲେ ଅଭାବି ଧାନ ବିକ୍ରି ସୃଷ୍ଟି ହେବ ଏବଂ ଚାଷୀ କ୍ଷତି ସହିବ । କରେନା ଯୋଗୁ ପନିପରିବା ଆଦି ରବି ଫସଲ କମ୍‌ ଦରରେ ବିକି ଚାଷୀ କ୍ଷତି ସହିଛନ୍ତି। ଏନେଇ ପଞ୍ଜିକରଣ ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି । ଜିଲାପାଳଙ୍କୁ ଏସମ୍ପର୍କରେ ସ୍ମାରକପତ୍ର ମହାସଭା ପକ୍ଷରୁ ପଠାଯାଇଥିବା ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ବୁଧବାର ସୂଚନା ଦେଇଛନ୍ତି । ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଅବଧି ବୃଦ୍ଧି କରିବାକୁ ସରକାରଙ୍କୁ ଚିଠି ଲେଖିବାକୁ ଜିଲାପାଳଙ୍କୁ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟଥା ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି।