ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକୋ

ନନ୍ଦାହାଣ୍ଡି,୮।୧ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ମଣ୍ଡି ଅବ୍ୟବସ୍ଥା। ମିଲରଙ୍କ ମନମାନୀ, ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଥିବା ଖବର ବାରମ୍ବାର ପ୍ରକାଶ ପାଇବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଧାନ ଦୀର୍ଘ ଦିନ ଧରି ମଣ୍ଡିରେ ପଡ଼ିରହିଛି। ଏହାର ପ୍ରତିବାଦରେ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡିରେ ଚାଷୀମାନେ ଧାନ ବସ୍ତା ରଖି ରାସ୍ତାରୋକୋ କରିଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନକୁ ଭାଜପା ସମର୍ଥନ କରିଛି। ଦଳୀୟ କର୍ମକର୍ତ୍ତା ମଧ୍ୟ ଚାଷୀଙ୍କ ସହ ରାସ୍ତାରୋକୋରେ ସାମିଲ ହୋଇଥିଲେ।
ଚାଷୀ ଦୀର୍ଘ ଦିନ ହେବ ମଣ୍ଡିରେ ଧାନ ରଖିଛି। ମିଲର ମନମାନି କରି ଧାନ ବାସନ ଥିବା ଅଭିଯୋଗ କରି ଧାନ ଉଠାଉ ନାହାନ୍ତି। ଏଥିସହ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ଧାନ କଟ୍‌ନୀ କରିବାକୁ ମିଲର କହୁଥିବା ଚାଷୀ ଅଭିଯୋଗ କରିଛନ୍ତି। କେତେଜଣ ଚାଷୀଙ୍କ ସୋମବାର ଟୋକେନ୍‌ ଲାପ୍‌ସ ହୋଇଯାଉଥିବା ବେଳେ ସେମାନଙ୍କ ଧାନ ମଧ୍ୟ ଉଠାଯାଉ ନାହିଁ। ଫଳରେ ସେମାନଙ୍କ ଧାନ ଟଙ୍କା ମିଳିବାରେ ଅସୁବିଧା ହେବ। ଏଣୁ ଉତ୍ତ୍ୟକ୍ତ ହୋଇ ଚାଷୀ ପ୍ରତିବାଦ କରି ଧଣ୍ଡରା ମଣ୍ଡି ସମ୍ମୁଖ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ନବରଙ୍ଗପୁର ଓ ଖାତିଗୁଡା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଶୀଘ୍ର ମଣ୍ଡିରୁ ଧାନ ନ ଉଠିଲେ ଆଗାମୀ ଦିନରେ ପ୍ରତିବାଦ ଜୋରଦାର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏସିଏସ୍‌ଓ ବିଷ୍ଣୁ ପ୍ରସାଦ ପ୍ରଧାନ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ସନ୍ଧ୍ୟାରେ ରାସ୍ତାରୋକୋ ହଟିଛି। ଏ ନେଇ ଏସିଏସ୍‌ଓଙ୍କୁ ପଚାରିବାରୁ ମିଲର ଧାନ ଉଠେଇବା ପାଇଁ ରାଜି ହୋଇଛନ୍ତି। ମଙ୍ଗଳବାର ଏହି ଧାନ ଉଠାଯିବ ବୋଲି ସେ କହିଛନ୍ତି। ଜିଲାରେ ଏହିଭଳି ସମସ୍ୟା ଏବଂ ଆନ୍ଦୋଳନ ହେଉଥିବା ସତ୍ତ୍ୱେ ସିଏସ୍‌ଓ ବେଣୁଧର ପାଣିଗ୍ରାହୀ ଆନ୍ଦୋଳନସ୍ଥଳୀକୁ ଆସୁ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀ ଅସନ୍ତୋଷ, ଧାନ ବିକ୍ରି ସମ୍ପର୍କରେ ଜାଣିବାକୁ ସିଏସ୍‌ଓଙ୍କ ସରକାରୀ ନମ୍ବର ୯୪୩୮୨୦୦୦୫୩ ଏବଂ ଅନ୍ୟ ଏକ ନମ୍ବର ୯୪୩୭୪୦୬୨୯୫କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ବନ୍ଦ ରହିଥିଲା।