ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ତାଲମେଣ୍ଡା ଗ୍ରାମର ଯୁବ ଚାଷୀ ରୋହିତ ଭୋଇଙ୍କ ଇଚ୍ଛାମୃତ୍ୟୁ ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ ବଲ ସାମନ୍ତ ମଙ୍ଗଳବାର ଘଟଣାର ତଦନ୍ତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଜଣକ ଉତ୍କ୍ଷିପ୍ତ ହୋଇ ଇଚ୍ଛାମୃତ୍ୟୁ ଆବେଦନ କରିବା ପରିବାର ପାଇଁ କ୍ଷତି ହେବ। ଏପରି ଭୁଲ ଚିନ୍ତା ନ କରିବାକୁ ଚାଷୀଙ୍କୁ ବିବେଦନ କରିବା ସହ ଆଲୋଚନା ଏବଂ ତର୍ଜମାରୁ ନିଷ୍କର୍ଷ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ଘଟଣାର ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ତାଳମେଣ୍ଡା ଗ୍ରାମର ଯୁବଚାଷୀ ରୋହିତ ଜିଲାପାଳଙ୍କଠାରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଜିଲାପାଳଙ୍କୁ ଦେଇଥିବା ଆବେଦନ ପତ୍ରରେ ରୋହିତ ଉଲ୍ଳେଖ କରିଛନ୍ତି ଯେ, ୨୦ବର୍ଷ ହେଲା, ସେ ଧାନଚାଷ କରି ଆସୁଛନ୍ତି। ଅମଳ ଧାନକୁ ବିକି ପରିବାର ପୋଷଣ କରନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁ ଗତବର୍ଷ ଖରିଫରେ ଅମଳ ଧାନକୁ ସେ ବିକ୍ରି କରିପାରି ନ ଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ବୃଦ୍ଧ ମାତାପିତାଙ୍କ ଔଷଧ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ, ପୋଷାକପତ୍ର କିଣିବା ପାଇଁ ମଧ୍ୟ ଟଙ୍କା ନାହିଁ। ସେହିପରି ଚାଷକାର୍ଯ୍ୟ ପାଇଁ ଋଣ କରିଥିବା ଟଙ୍କାକୁ ମଧ୍ୟ ସେ ପୈଠ କରି ପାରୁନାହାନ୍ତି। ଏଭଳି ସମସ୍ୟା ଯୋଗୁ ମୌଳିକ ଆବଶ୍ୟକତାକୁ ମଧ୍ୟ ଠିକ୍ ଭାବେ ପୂରଣ କରିପାରୁ ନ ଥିବାରୁ ସେ ମାନସିକ ଚାପରେ ଅଛନ୍ତି ବୋଲି ଆବେଦନ ପତ୍ରରେ ଉଲ୍ଳେଖ କରିଛନ୍ତି।
ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ସହିତ ଧାନ କିଣିବା ପାଇଁ ନିବେଦନ କରିବା ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ସେ ଇଚ୍ଛାମୃତ୍ୟୁ ଆବେଦନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି।