ସାପ କାମୁଡ଼ାରେ ଚାଲିଗଲା ଚାଷୀଙ୍କ ଜୀବନ

ଅମରପାଲି,୨।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବ ଚାଷୀଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତକ ହେଲେ ତେଲିପାଲି ଗ୍ରାମର ଅଶୋକ ସହୁ(୩୨)। ଶୁକ୍ରବାର ଅପରାହ୍ନରେ ଜମିରେ ଚାଷ କରୁଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା। ଯୁବକଙ୍କୁ ସୋନପୁର ଜିଲା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ଦୁଇ ଦିନ ରହି ଚିକିତ୍ସା ହୋଇ ଠିକଠାକ୍‌ ଥିଲେ। ତେବେ ଶନିବାର ରାତିରେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେଠାରେ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ମୃତ ଯୁବ ଚାଷୀ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଜଣେ ୫ବର୍ଷର ପୁଅ ଓ ଏକ ବର୍ଷର ଝିଅ ଅଛନ୍ତି। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।