ମଣ୍ଡି ଗେଟ ଭାଙ୍ଗି ଧାନ ପୁରାଇଲେ ଚାଷୀ: ଦେଲେ ଆନ୍ଦୋଳନ ଚେତାବନୀ

ଅତାବିରା, ୨୫।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମଣ୍ଡିକୁ ଚାଷୀ ଜୋର ଜବରଦସ୍ତ ଗେଟ ତାଲା ଭାଙ୍ଗି ବୁଧବାର ଧାନ ପୁରାଇଛନ୍ତି l ସଂଯୁକ୍ତ କୃଷକ ସଂଗଠନର ଆହୱାନ କ୍ରମେ ଅତାବିରାସ୍ଥିତ ଓଡିଶା ରାଜ୍ୟ କୃଷକ ସଂଗଠନ ସଦସ୍ୟମାନେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିକୁ ପୁରାଇଛନ୍ତି।
ବରଗଡ଼ ଜିଲା ପ୍ରଶାସନ ଗତ ୨୨ ତାରିଖ ଡିଏଲପିସି ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ, ଆସନ୍ତା ୩୦ ତାରିଖ ଜିଲାର ସମସ୍ତ ମଣ୍ଡି ଖୋଲାଯିବ l ହେଲେ କୃଷକ ସଂଗଠନ ୨୫ ତାରିଖ ମଣ୍ଡି ଖୋଲିବାକୁ ଜିଦ ଧରିଥିଲେ l ପ୍ରଶାସନ ନ ମାନିବାରୁ ସଂଗଠନ ଆଜି ବାଧ୍ୟ ହୋଇ ଧାନ ମଣ୍ଡିକୁ ପୁରାଇଛନ୍ତି l ବାବେବିରା କେନାଲ ପଡ଼ାର ଚାଷୀ ପି. ଭି. ରାଜୁଙ୍କ ୧୨୫ ପ୍ୟାକେଟ ଓ ଅତାବିରାର ଧୀରଜ ସାହୁଙ୍କ ୧୬୦ ପ୍ୟାକେଟ ଧାନ ପ୍ରଥମକରି ମଣ୍ଡିରେ ପକାଇଛନ୍ତି। ସଂଗଠନ ପକ୍ଷରୁ ବିଭିନ୍ନ ଦାବୀ ମଧ୍ୟ କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସଂଗଠନ ସଭାପତି ଭୁବନ ପ୍ରଧାନଙ୍କ ନେତୃତ୍ୱରେ ଚାଷୀ ନେତା ବୀରେନ୍ଦ୍ର କର, ବୁଦ୍ଧଦେବ ନନ୍ଦ, ଟିକେଲାଲ ମିଶ୍ର, ସୁବାଷ ବିଶ୍ୱାଳ,ସଂକ୍ରାନ୍ତି ଭେକେଟେଶ୍ୱର ରାଓ, ଦଶରଥ ଭୋଇ,ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

 

Dharitri – Odisha’s No.1 Odia Daily

 

Share