ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍ହା ପଲ ଉପଦ୍ରବ କରୁଛନ୍ତି। ବାର୍ହା କ୍ଷେତରେ ପ୍ରବେଶ କରି ଧାନ ନଷ୍ଟ କରୁଥିବା ନେଇ ସ୍ଥାନୀୟ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ବାର୍ହାଙ୍କୁ ଘଉହାଇବାକୁ ପାଇଁ ଚାଷୀ ଜମି ହିଡ଼ ମୁଣ୍ଡରେ ମଞ୍ଚା ବାନ୍ଧି ରାତିରେ ଜଗି ରହିଥାନ୍ତି। ବାର୍ହା ଆସିଲେ ବ୍ୟାଟେରି ଝଟକା କରେଣ୍ଟ, ନିଅଁା ହୁଳା, ବାଣ ଫୁଟାଇ ଘଉଡାଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଝଣ୍ଟୁ ଜାନା, ପ୍ରଫୁଲ୍ଲ ସେଠୀ, ନିତାଇ ମାନ୍ନା, ଖଗେନ୍ ମାଇତି, କମଲ ଜେନା, ତପନ ବେରା, ପୂର୍ଣ୍ଣ ଚନ୍ଦ୍ର ବେରା, ଶୁକଦେବ ବେରା, ଦୟାଲ ସାହୁ, ବିକାଶ ସାହୁ, ଶମ୍ଭୁ ଜେନାଙ୍କ ସମେତ ୫୦ରୁ ଅଧିକ ଚାଷୀ କହିଛନ୍ତି, ବ୍ଲକର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ସଂଲଗ୍ନ ନାଞ୍ଜୁରା ପଞ୍ଚାୟତ ନରସିଂହପୁର ଗ୍ରାମରୁ ବିଳମ୍ବିତ ରାତିରେ ବାର୍ହା ପଲରେ ୨୦ରୁ ୩୦ରୁ ଆସି ପାଚିଲା ଧାନ ଜମିରେ ପଶି ନଷ୍ଟ କରୁଛନ୍ତି। ବାର୍ହା ପଲକୁ ରୋକିବାକୁ ଚାଷ ଜମି ହିଡରେ ବାଉଁଶ ଓ ପଲିଥିନ ଦେଇ ମଞ୍ଚା ପ୍ରସ୍ତୁତ କରିଛୁ। ବିଳମ୍ବିତ ରାତିରେ ଜଙ୍ଗଲୀ ବାର୍ହା ପଲ ଧାନ ଜମିରେ ପ୍ରବେଶ କରନ୍ତି। ତେବେ ଜମିପାର୍ଶ୍ୱ ତାର ବାଡ଼ରେ ଜାଲ ଲଗାଇ ବ୍ୟାଟେରି କରେଣ୍ଟରେ ଯୋଡ଼ି ଯାଇଛି। ପରେ ଏହି ପଲ ବାଡ଼ ପାର୍ଶ୍ୱରେ ବ୍ୟାଟେରି ସଂଯୋଗ ତାର ସଂସ୍ପର୍ଶରେ ଆସିଲେ ଝଟକା କରେଣ୍ଟ ଲାଗେ। ଏହି ବାର୍ହା ପଲ ବ୍ୟାଟେରି କରେଣ୍ଟ ଝଟକା ମାରିବା ପରେ ନିକଟ ଜଙ୍ଗଲକୁ ପଳାଇ ଯାଇଥାନ୍ତି। ଅପରପକ୍ଷରେ ଏମାନଙ୍କୁ ତଡ଼ିବା ପାଇଁ ନିଅଁା ହୁଳା ଲଗାଇବା ସହ ବାଣ ଫୁଟାଇ ଓ ବାଜା ବଜାଇ ଘଉଡାଇ ଥାଉ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ କାର୍ଯ୍ୟାଳୟ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ବତିଘର, ଜମ୍ବୁ, ରାମନଗର, ଖରିନାସି, ସୁନିତି, ଶାସନପେଟା, ତନ୍ତିଆପାଳ ଆଦି ଅଞ୍ଚଳରେ ବହୁସଂଖ୍ୟାରେ ବାର୍ହା ପଲ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily


