କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ

କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି ଦେଖାଯାଉଛି। କୋକସରା ବ୍ଲକର ଚାଷଜମିରେ ଏବେ ମାଡିବାରେ ଲାଗିଛି ଏହି ଚକଡ଼ା ରୋଗ ପୋକ ।

ଚଳିତ ବର୍ଷ କୋକସରା ବ୍ଲକରେ ସ୍ବାଭାବିକ ବର୍ଷା କାରଣରୁ ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦୀ ଧାନ ଚାଷ ଭଲ ହୋଇଛି। ଏବେ ଛୋଟ କିସମର ଧାନ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ଦୀର୍ଘ ମିଆଦି ଧାନରେ ଦୁଧ ଭରିବା ସମୟରେ ଏହି ରୋଗ ବ୍ୟାପକ ମାତ୍ରାରେ ବ୍ୟାପିବାକୁ ଲାଗିଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି, ବେସରକାରୀ ଫାଇନାନ୍ସରୁ ଋଣ କରି ଚଳିତ ବର୍ଷ ସୁନାର ଫସଲ କରିଥିଲେ । ହେଲେ ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ରୋଗର ଚଡକ ପଡିଛି। ଚାଷୀ ମାନେ ଚକଡ଼ା ପୋକ ଦମନ ପାଇଁ କୃଷି କର୍ମଚାରୀଙ୍କ ପରାମର୍ଶ ନେଇ ହଜାର ହଜାର ଟଙ୍କା ଧାର ଉଧାର କରି କୀଟନାଶକ ଔଷଧ ସିଞ୍ଚନ କରୁଥିବା ବେଳେ ୨/୩ ଥର କୀଟନାଶକ ମାରିବା ପରେ ମଧ୍ୟ ପୋକ ଆୟତ୍ତ ହେଉନାହାନ୍ତି । ଏହିଭଳି ଅଭିଯୋଗ କରିଛନ୍ତି କୋକସରା ଗ୍ରାମର ଅନେକ ଚାଷୀ।

କୋକସରା ବ୍ଲକ ୨୨ ପଞ୍ଚାୟତକୁ ନେଇ ରହିଥିବା ବେଳେ ୭୦/୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ତେବେ ଚକଡ଼ା ରୋଗକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । କୃଷିବିଭାଗର ସୁଚନା ଅନୁସାରେ କୋକସରା ବ୍ଲକ ରେ ମୋଟ ୧୯ ,୭୧୮ ହେକ୍ଟର ଧାନଚାଷ ହୋଇଥିବା ବେଳେ ରୁଆ ଧାନ ୧୨,୪୨୦ ହେକ୍ଟର ଓ ବୁଣାଧାନ ୭୨୯୮ ହେକ୍ଟରରେ କରାଯାଇଛି।

ଚକଡ଼ା ରୋଗ ନିୟନ୍ତ୍ରଣକୁ ନେଇ କୋକସରା କୃଷି ଅଧିକାରୀ ହେମାନନ୍ଦ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଗତ ସପ୍ତାହ ସୁଦ୍ଧା ବ୍ଲକର ବିଭିନ୍ନ ଚାଷଜମିରେ ୨୨ ହେକ୍ଟରରେ ଚକଡ଼ା ରୋଗ ହୋଇଥିବା ନେଇ ସୂଚନା ମିଳିଛି।ଚାଷୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ରୋଗ ନିୟନ୍ତ୍ରଣ ପାଇଁ କୃଷକ ସାଥୀମାନେ ପରାମର୍ଶ ସହ ସରକାରୀ ରିହାତି ମୁଲ୍ୟରେ କୀଟନାଶକ ଯୋଗାଇ ଦିଆଯାଉଛି। ଗତ ମାସେ ହେବ କୋହଲା ପାଗ ଯୋଗୁ କିଛି ମାତ୍ରାରେ ଚକଡ଼ା ରୋଗ ବ୍ୟାପିଛି। ଆମେ ଏନେଇ ଜିଲା କୃଷି ବିଭାଗକୁ ସୂଚନା ଦେଉଛୁ ବୋଲି ସେ କହିଛନ୍ତି। ତେବେ ଚକଡ଼ା ରୋଗ ପୋକ ନିୟନ୍ତ୍ରଣ ପାଇଁ କୃଷିବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।