ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ

ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀମାନେ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ଉପାନ୍ତ ଅଞ୍ଚଳରେ ପ୍ରତିଗାଁରେ ପଶ୍ଚିମବଙ୍ଗର ଦଲାଲମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ସକ୍ରିୟ ହୋଇ ଧାନଖଟି ଖୋଲିିଛନ୍ତି । ତେଣୁ ସରକାରୀ ମୂଲ୍ୟଠାରୁ ୪୫୦ ଟଙ୍କା କମ୍‌ ମୂଲ୍ୟରେ ଚାଷୀ ଧାନ ବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ।

ଚଳିତବର୍ଷ ଖରିଫ ଋତୁରେ ୧୯ହଜାର ହେକ୍ଟର ଜମିରେ ଧାନଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୧୮ହଜାର ହେକ୍ଟର ଜମିରେ ରୁଆପୋତା ଶେଷ ହୋଇଥିଲା। ସୁବର୍ଣ୍ଣରେଖାର ବନ୍ୟା ଓ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷା ପାଣି ଯୋଗୁ ୧୨୫୦ ହେକ୍ଟର ଜମିରେ ଧାନଚାଷ ନଷ୍ଟ ହୋଇଥିବା କୃଷି ବିଭାଗ ଦର୍ଶାଇଛି । ଏବେ ପ୍ରାୟ ତେଣୁ ୧୭, ୭୫୦ ହେକ୍ଟର ଜମିରେ ଧାନ ଅମଳ ହେବାକୁ ଯାଉଛି । ରାଇବଣିଆ ଅଞ୍ଚଳରେ ପ୍ରାୟ ୮୦ଭାଗ ଧାନ ଅମଳ ଶେଷ ହୋଇଥିବା ବେଳେ ଜଳେଶ୍ୱର ଅଞ୍ଚଳରେ ମଧ୍ୟ ୨୦ଭାଗରୁ ଅଧିକ ଜମିରେ ଧାନ ଅମଳ ସରିଛି। ମଜୁରୀ ଓ ଧାନକଟା ମେଶିନ ଖର୍ଚ୍ଚ ନେଇ ଚାଷୀ ଅଡୁଆରେ ପଡିଛି। ଗତ ଖରିଫ ଋତୁରେ ଧାର କରଜ କରି ଚାଷୀ ପ୍ରତିକୂଳ ପାଗରେ ଧାନ ଚାଷ କରିଥିଲା। ଧାନ ଅମଳ ପରେ ଧାର କରଜ ପରିଶୋଧ ଓ ଅମଳରେ ଖର୍ଚ୍ଚ ଲାଗି ଧାନ ବିକ୍ରିକୁ ଅନାଇ ବସିଛି । ଏହି ବ୍ଲକରେ ୧୯ଟି ଧାନ ମଣ୍ଡି(ପ୍ୟାକ୍ସ) ଜରିଆରେ ଧାନ କ୍ରୟ କରାଯାଇଥାଏ । କିନ୍ତୁ ଧାନ ମଣ୍ଡି ଡିସେମ୍ବର ୨୦ରେ ଖୋଲିବାକୁ ଥିବା ବେଳେ ଏବେ ପଶ୍ଚିମବଙ୍ଗର ଦଲାଲ ହିଁ ଏକମାତ୍ର ଭରସା । ଉପାନ୍ତ ଗ୍ରାମଞ୍ଚଳରେ ପଶ୍ଚିମବଙ୍ଗର ଧାନ ଦଲାଲ ଖଟି ଖୋଲି ବସିଛି । ଏବେ ଚାଷୀ କୁଇଣ୍ଟାଲ ପ୍ରତି ୧୪ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ପ୍ରାୟ ୪୫୦ଟଙ୍କା କ୍ଷତିର ସମ୍ମୁଖୀନ ହେଉଛି। ପୂର୍ବରୁ ପ୍ରଚଳିତ ମୂଲ୍ୟ ୧୮୬୮ ଟଙ୍କା ଥିବା ବେଳେ ଚଳିତବର୍ଷ ଧାନର ସହାୟକ ମୂଲ୍ୟ ବଢିବା ସମ୍ପର୍କରେ କୁହାଯାଇଛି। ଏବେ ଲଗାଲଗି ହୋଇ ୩ଟି ବାତ୍ୟାର ସୂଚନା ମିଳିବା ପରେ ଚାଷୀମାନେ ଆତଙ୍କିତ ହୋଇ କଞ୍ଚାଧାନ ଧାନ କାଟି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେଣୁ ସରକାର ଶୀଘ୍ର ଧାନମଣ୍ଡି ଖୋଲିବାକୁ ବହୁ କୃଷକ ନେତା, କୃଷକ ସଙ୍ଗଠନ ଓ କେତେକ ଉଠିଆ ଚାଷୀ ଦାବି କରିଛନ୍ତି।