ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର କଳାବଜାର ଓ ଅଭାବୀ ବିକ୍ରି ନେଇ ଚାଷୀ ସଙ୍କଟରେ ପଡିଛନ୍ତି।

ପ୍ରଶାସନ ସାରର କଳାବଜାର ସମ୍ପର୍କରେ ଅବଗତ ଥିଲେ ମଧ୍ୟ ନୀରବ ରହିଛନ୍ତି । ବାରମ୍ବାର ଅଭିଯୋଗ ପରେ ବ୍ଲକର ଢଉଗାଁ ପଞ୍ଚାୟତର ବାହାଡ଼ାଗୁଡା ଗ୍ରାମରେ ଚଢ଼ାଉ କରି ନାମକୁ ମାତ୍ର କିଛି ସାର ବସ୍ତା ଜବତ କରି ଅଧିକାରୀମାନେ ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି ।

କୃଷି ଓ ରାଜସ୍ବ ବିଭାଗ କେବଳ ଏନଫୋର୍ସମେଣ୍ଟ ଦାୟିତ୍ୱ ଆମର, ଏଆରସିଏସ୍‌ ସାର ବିକ୍ରି କଥା ବୁଝିବେ ବୋଲି କହି ନିଜକୁ ନିରାପଦ ରଖୁଥିବା ବେଳେ ଏଆରସିଏସ୍‌ଙ୍କୁ ଜଣାଇବା ଲାଗି ତାଙ୍କ ଦେଖା ମିଳୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ସାରର ଅଭାବ ସୁଯୋଗ ନେଇ ବଜାରରେ ବ୍ୟବସାୟୀମାନେ ଚଢା ଦରରେ ସାର ବିକ୍ରି କରୁଛନ୍ତି।

ଧରାକୋଟ ବ୍ଲକରେ ୧୫ଟି ସେବା ସମବାୟ ସମିତି ଓ ୮ଟି ଅଧିକୃତ ବ୍ୟକ୍ତିଙ୍କୁ ସାର ବିକ୍ରି ପାଇଁ ଅନୁମତି ମିଳିଛି। ସମବାୟ ସମିତି ପକ୍ଷରୁ ଚାଷୀ ପିଛା ଉଭୟରୁ ମାତ୍ର ଗୋଟିଏ ଲେଖାଏ ବସ୍ତା ମିଳୁଥିବା ବେଳେ ଅଧିକୃତ ଡିଲରମାନେ ଅଧିକ ମୂଲ୍ୟରେ ସାର ବିକ୍ରି କରୁଛନ୍ତି। ବ୍ଲକର ଦସମାଇଲି, ଢଉଗାଁ, ମାଣିକପୁର , ଚାରିଛକ, ମଥୁରା ପଦ୍ମନାଭ ପୁର, ଜାହାଡା, ଜଗମୋହନ, ଝରପାରି, ବାହାରପୁରରେ ସାରର ବ୍ୟାପକ କଳାବଜାର ହେଉଥିବାରୁ ଚାଷୀ ଧାର କରଜ କରି ଅଧିକ ଟଙ୍କାରେ ସାର କିଣୁଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।