କ୍ଷେତକୁ ଜଳସେଚନ ଚୁଆ ମେଣ୍ଟାଉଛି

ମହାକାଳପଡ଼ା,୧୦ା୧ (ଡି.ଏନ.ଏ.): ମହାନଦୀର ଜଳସ୍ତର କମୁଥିବାରୁ ସମୁଦ୍ର ଜୁଆର ଲୁଣାପାଣି ନଦୀ ମଧ୍ୟକୁ ଚାଲି ଆସୁଛି। ଫଳରେ ଖରାଦିନିଆ ଡାଳୁଅ ଧାନ କରୁଥିବା ଚାଷୀମାନେ ବାଧ୍ୟହୋଇ ଜମି ନିକଟରେ ଛୁଆକରି ଚାଷଜମିକୁ ଜଳସେଚିତ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରିହାତି ଦରରେ ଯୋଗାଯାଉଥିବା କୃଷି ଯନ୍ତ୍ରପାତି, ସାର, ବିହନ ଓ କୀଟନାଶକ ମିଳୁନାହିଁ। ଫଳରେ ଗ୍ରାମାଞ୍ଚଳରେ ଚାଷୀମାନେ ସବୁଠାରୁ ବଡ଼ କ୍ଷତି ସହୁଛନ୍ତି। ଏମାନଙ୍କ ଦୁଃଖ ବୁଝିବା ପାଇଁ ସରକାର କୃଷି ବିଭାଗ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ କୃଷି ବିଭାଗ କର୍ମଚାରୀମାନେ ଚାଷକ୍ଷେତକୁ ନ ଯାଇ କାଗଜକଲମରେ ଚାଷୀଙ୍କ ବିକାଶ କରୁଛନ୍ତି। କୃଷକଙ୍କ କି ସମସ୍ୟା ରହିଛି ବିଭାଗ ପାଖରେ ପହଞ୍ଚତ୍ପାରୁନି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଡାଳୁଅ ଧାନ ଚାଷ କରୁଥିବା ଚାଷୀ ବିହନ, ସାର ଖୋଲା ବଜାରରୁ ଚଢ଼ା ଦରରେ କ୍ରୟକରି ଚାଷ କରୁଛନ୍ତି। ଗରିବ ଚାଷୀମାନେ ଅର୍ଥ ଅଭାବରୁ ଲଙ୍ଗଳ ନିଜେ ଟାଣି ହଳ କରି ଜମି କାଦୁଅ କରୁଥିବା ଦେଖିବକୁ ମିଳୁଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ବାହାକୁଦ ଗ୍ରାମ ନିକଟ ମହାନଦୀ ସଂଲଗ୍ନ ଖରିବାଡ଼ି ପାଳନ୍ଦାରେ। ୫୦ରୁ ଅଧିକ ଭାଗଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ଖରାଦିନିଆ ଡାଳୁଅ ଧାନ ଚାଷ କରୁଛନ୍ତି।
ଭାଗଚାଷୀ ବଇ ସାମଲ, ଯଦୁ ସାମଲ, ଉପ ଦତ୍ତ, ବିଚି ବେହେରା, ସେକ୍‌ ମାଜା, ସେକ ପୁଚଙ୍କ କହିଛନ୍ତି, ମାଲିକ ଜମିକୁ ଆମେ ଭାଗ ବଖରା କରି ପରିବାର ପ୍ରତିପୋଷଣ କରୁଛୁ। କୃଷି ବିଭାଗ ପକ୍ଷରୁ ରିହାତି ଦରରେ ବିହନ, ସାର ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ। ଆମେ ବାଧ୍ୟହୋଇ ଖୋଲା ବଜାରରୁ ଚଢ଼ା ଦରରେ କ୍ରୟ କରୁଛୁ । ଆଜିକା ଦିନରେ ଦୈନିକ ମଜୁରି ୫ଶହ ଟଙ୍କା, ଖୋଲା ବଜାରରୁ ଚଢ଼ା ଦରରେ ସାର, କୀଟନାଶକ , ବିହନ ଆଦି କିଣି ଚାଷ କରିବା ସହ ମାଲିକଙ୍କୁ ଭାଗ ଧାନ ଦେଇ ଚାଷ କରୁଥିଲେ ହେଁ କିଛି ଲାଭ ହେଉନାହିଁ। ନିକଟରେ ମହାନଦୀର ଲୁଣିିପାଣି ଯୋଗୁ ଜଳସେଚନରେ ସମସ୍ୟା ଲାଗି ଚାଷୀମାନେ କ୍ଷେତ ନିକଟରେ ଚୁଆ ଖୋଳି ତେଣ୍ଡା ଓ ସେଣାରେ ଜମିକୁ ଜଳସେଚନ କରୁଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ ଚାଷୀମାନେ ନିକଟ ଅନ୍‌ଲାଇନ କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ପ୍ରି ବୁକିଂ କରିବା ଓ ପ୍ରାଥମିକ କୃଷି ସମବାୟ ସମିତିରେ ଅଭିଯୋଗ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।