ଅଧିକ ଦାମରେ ବସ୍ତା କିଣୁଛନ୍ତି ଚାଷୀ

ଚମ୍ପୁଆ,୨୦।୧୨(ଡି.ଏନ.ଏ)  ଧାନ ଅମଳ ପ୍ରାୟ ୯୯ ଭାଗ ଶେଷ ହୋଇଯାଇଥିବା ବେଳେ ଚାଷୀ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ବସ୍ତା। ଧାନ ସାଇତି ରଖିବା ହେଉ କି ବିକ୍ରିପାଇଁ ହେଉ ବସ୍ତାର ଆବଶ୍ୟକତା ରହୁଥିବା ବେଳେ ଏହାର ଅହେତୁକ ଦର ବୃଦ୍ଧି ପାଇଛି। ଚମ୍ପୁଆରେ ଏହି ବସ୍ତାର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଚାଷୀ ଝାଡଖଣ୍ଡ ଅଞ୍ଚଳରୁ ଅଧିକ ଦାମ ଦେଇ ବସ୍ତା କିଣୁଥିବା ଅଭିଯୋଗ କରୁଛନ୍ତି।
ସୂଚନା ଅନୁସାରେ ଧାନ କିଣା ବିକା ପାଇଁ ଅଖା ଏକ ପ୍ରମୁଖ ମାଧ୍ୟମ। ଏଥିରେ ଧାନ ରଖାଗଲେ ଧାନର ଆର୍ଦ୍ରତା ପ୍ରାୟ କମିଯାଉଥିବା ବେଳେ ଧାନର ସୁରକ୍ଷା ବଢିଥାଏ। ଏହି ଦୃଷ୍ଟିକୋଣରୁ ମିଲର ଠାରୁ ଆରମ୍ଭ କରି ଚାଷୀମାନେ ଅଖାକୁ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଚମ୍ପୁଆରେ ଏହାର ଅଭାବ ଦେଖାଦେଇଥିବା ବେଳେ ୫ରୁ ୧୦ ଟଙ୍କାରେ ମିଳୁଥିବା ଅଖା ବର୍ତ୍ତମାନ ୩୫ ରୁ ୪୦ ଟଙ୍କାରେ ମିଳୁଛି। ବାଧ୍ୟହୋଇ ଚାଷୀ ଅଧିକ ଦରରେ କିଣି ଶୋଷଣର ଶିକାର ହେଉଛନ୍ତି। ଏନେଇ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦିଗାମ୍ବର ପ୍ରଧାନ କହିଛନ୍ତି, ଚାଷୀ ମଣ୍ଡିକୁ ଯେଉଁ ବସ୍ତାରେ ଧାନ ଆଣିବେ ତାହା ଗ୍ରହଣ କରାଯିବ।