ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍‌, ଆଇ ଲଭ୍‌ କ୍ଷେତ ଆଦି ଛପାଯାଇଛି। ଯାହା ଖୁବ୍‌ ଟ୍ରେଣ୍ଡ୍‌ କରୁଛି। ଭିଆଇପି ସଂସ୍କୃତି ପରି ଲୋକମାନେ ନିଜ ନିଜ ଦାମୀ ଗାଡ଼ିରେ ଏହାକୁ ଲଗାଇବା ପାଇଁ ପସନ୍ଦ କରୁଛନ୍ତି। କେତେକ ଟୋଲ ପ୍ଲାଜାରେ ମଧ୍ୟ ଏପରି କୃଷକ କାର୍ଡ ଲଗାଯାଇଛି।

କ୍ୟାଥଲର ବିଭିନ୍ନ ପ୍ରିଣ୍ଟିଂ ପ୍ରେସରେ କିଷାନ ଆନ୍ଦୋଳନ ସହ ଜଡ଼ିତ ବିଷୟବସ୍ତୁ ସହିତ ଅନେକ ଲୋକ ଏପରି ବିବାହ କାର୍ଡ ଛପାଉଛନ୍ତି। ଏହି କାର୍ଡରେ ଭଗତ ସିଂ ଏବଂ ଛୋଟୁରାମଙ୍କ ଫଟୋ ରହିଛି। ଯେତେବେଳେ ପ୍ରିଣ୍ଟିଂ ପ୍ରେସର ଲୋକଙ୍କୁ ଏ ବିଷୟରେ ପଚରାଗଲା ସେ କହିଲେ, ଆଜିକାଲି ଏପରି ଟ୍ରେଣ୍ଡ ଚାଲିଛି। ଲୋକମାନେ ଏପରି ନିମନ୍ତ୍ରଣ କାର୍ଡ ଛପାଇବାକୁ ଆମକୁ ଅର୍ଡର ଦେଉଛନ୍ତି।

ବିବାହ କରିବାକୁ ଯାଉଥିବା ବର ପ୍ରବୀଣଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ମୋର ଜନ୍ମ ଏକ କୃଷକ ପରିବାରରେ। ଏହା ଲେଖିବା ମୋ ପାଇଁ ଗର୍ବ ଓ ଗୌରବର କଥା। ଯଦି ମୁଁ ଦିଲ୍ଲୀ ଯାଇପାରିବି ନାହିଁ ତେବେ ଅତି କମ୍‌ରେ ନୈତିକତା ଦୃଷ୍ଟିରୁ ତ କୃଷକ ଆନ୍ଦୋଳନକୁ ସମର୍ଥନ କରିବି। ଏହି ନିମନ୍ତ୍ରଣ କାର୍ଡ ମାଧ୍ୟମରେ ମୋର ସ୍ବର ସମସ୍ତ ଲୋକଙ୍କ ନିକଟରେ ସହଜରେ ପହଞ୍ଚି ପାରିବ।

ସେହିପରି କନ୍ୟାଙ୍କ ପିତା କହିଛନ୍ତି, ଏପରି ନିମନ୍ତ୍ରଣ କାର୍ଡ ଛପାଯିବାର ଅର୍ଥ କୃଷକଙ୍କ ଅଧିକାର ଲୋକଙ୍କ ନିକଟରେ ପହଞ୍ଚିପାରିବ। କୃଷକ ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ। ଅନ୍ୟପକ୍ଷରେ ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି ନିମନ୍ତ୍ରଣ କାର୍ଡ ଛପାଯାଇଛି।

Share