ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ ଚଳିତ ବର୍ଷ ଧାନ ବିକ୍ରୟ କାର୍ଡ ପାଇଁ ପଞ୍ଜୀକରଣ ହେଉଛି। ଚଳିତବର୍ଷ ସ୍ବାଭାବିକଠାରୁ କମ୍ ମାତ୍ରାରେ ପଞ୍ଜୀକରଣ ହେଉଥିବା ବେଳେ ସାଧାରଣ ଆଟ କିସମକୁ ପଞ୍ଜୀକରଣରେ ସାମିଲ କରାଯାଉନାହିଁ। ଗତବର୍ଷ ଏହି କିସମକୁ ନିଆଯାଉଥିଲା। ବହୁ ବର୍ଷ ପୂର୍ବେ ଚାଷୀ ଜମିର କିସମ କରାଯାଇଛି। ଅତୀତର ଆଟ କିସମ ବର୍ତ୍ତମାନ ଧାନ ଚାଷ ଉପଯୋଗୀ ହୋଇସାରିଛି, ଏହି କିସମରେ ଧାନଚାଷ କରାଯାଉଛି, ହେଲେ ବିକ୍ରୟ ପାଇଁ ଏହି କିସମକୁ ନିଆଯାଉ ନ ଥିବାରୁ ଚାଷୀ ଅନେକ କ୍ଷତି ସହିବେ। ଏଥିପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।
ଶୁକ୍ରବାର ଝାରବନ୍ଧ ବ୍ଲକର ଭୈସାଦର୍ହl ଅଞ୍ଚଳର ଚାଷୀ ତହସିଲଦାରଙ୍କୁ ଦାବିପତ୍ର ଦେଇଥିବା ବେଲେ ଡଭା ସେବା ସମବାୟ ସମିତି ଅଧିନସ୍ଥ ବିଳାସପୁର ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଚାଷୀମାନେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଅନୁସାରେ ଧାନ ବିକ୍ରି ପାଇଁ ସମସ୍ତ ବଞ୍ଚିତ ଚାଷୀଙ୍କ ତୁରନ୍ତ ପଞ୍ଜୀକରଣ, ଗତବର୍ଷ ଚାଷ ହୋଇଥିବା ଆଟ ସାଧାରଣ ଜମିକୁ ଯଥା ଶୀଘ୍ର ଅନୁମୋଦନ, ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ପଞ୍ଜୀକରଣ ଅବଧି ବଢ଼ାଇବା ପାଇଁ ଦାବି ହୋଇଛି। ଚାଷୀ ନେତା ହେମସାଗର ଚନ୍ଦ୍ରକାର, ନାରାୟଣ ବେହେରା, ମନୋରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତାଲା ପକାଇ ଧାରଣାରେ ବସିଛନ୍ତି।