ଥମୁନି ଧାନ ବିକ୍ରି ଟୋକନ ତାତି: ଚୋରି ଅଭିଯୋଗ ଆଣିଲେ ଚାଷୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ସପ୍ତାହ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଚାଷୀଙ୍କ ଟୋକନ ଚିନ୍ତା ବଢ଼ିଯାଇଛି। ଜିଲାର ଅନେକ ଚାଷୀଙ୍କ ଧାନବିକ୍ରି ଟୋକନକୁ ବ୍ଲକ୍‌ କରି ଦିଆଯାଇଛି। ଅନ୍ୟପଟେ ଯେଉଁ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ଯଥେଷ୍ଟ କମାଇ ଦେଇଛି। ଧାନବିକ୍ରି ପଞ୍ଜୀକରଣ ସମୟରେ ଆବଶ୍ୟକ କାଗଜାତ୍‌ ସହିତ ଠିକ୍‌ ତଥ୍ୟ ଦେଇ ଆବେଦନ କରିବା ସତ୍ତ୍ୱେ ଚାଷୀମାନଙ୍କ ଟୋକନରେ ସେଭଳି ତ୍ରୁଟିକୁ ନେଇ ଚାଷୀ ମହଲରେ ନାନା ସନ୍ଦେହ ଉପୁଜିଛି। ଷଡ଼ଜନ୍ତ୍ର କରି ସେମାନଙ୍କ ଧାନବିକ୍ରି ଟୋକନକୁ ଚୋରି କରାଯାଇଛି । ଏଭଳି ଚୋରି ଅଭିଯୋଗ ନେଇ ମଙ୍ଗଳବାର ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି, ଖୁଣ୍ଟୁଲିପାଲି ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ବରଗଡ଼ ଏସ୍‌ପିଙ୍କୁ ଫେରାଦ ହୋଇଥିଲେ। ଏସ୍‌ପି ରବିନ୍ଦ୍ର ନାଥ ଶତପଥୀଙ୍କୁ ସେ ନେଇ ଲିଖିତ ଅଭିଯୋଗ କରି ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ନିବେଦନ କରିଛନ୍ତି। ଏହାକୁ ଗୁରୁତ୍ୱର ସହିତ ନେଇ ଏସ୍‌ପି ଶତପଥୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ କରି ଜଣେ ବିଭାଗୀୟ ଅଧିକାରୀଙ୍କ ସହିତ ସମ୍ପୃକ୍ତ ଚାଷୀ ପ୍ରତିନିଧି ଦଳଙ୍କୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ପାଖକୁ ପଠାଇଥିଲେ। ଆସନ୍ତା ୫ତାରିଖ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବା ଆଶା କରାଯାଉଛି ବୋଲି ଏଡ଼ିଏମ ସାହୁ ସେମାନଙ୍କୁ କହିଥିବା ଚାଷୀ ପ୍ରତିନିଧି କହିଛନ୍ତି।
ସୂଚନା ଅନୁଯାୟୀ, ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ଚାଲିଥାଏ ଏବଂ ସେହି ଅବଧି ମଧ୍ୟରେ ଚାଷୀମାନେ ଧାନବିକ୍ରି ପଞ୍ଜୀକରଣ ପାଇଁ ଆବଶ୍ୟକ କାଗଜାତ୍‌ ସହିତ ସେଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରି ଆବେଦନ କରିଥାନ୍ତି। ସେଥିରେ ନିଜ ଜମି ପରିମାଣ, ସମ୍ଭାବ୍ୟ ଅମଳ ତାରିଖ ଆଦି ଉଲ୍ଲେଖ ରହିଥାଏ। ସବୁ ଯାଞ୍ଚ ସରିବା ପରେ ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ଚାଷୀମାନଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରିବା ସହିତ ସେମାନଙ୍କ ନାମରେ ଟୋକନ ଇସ୍ୟୁ କରିଥାନ୍ତି। ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଇସ୍ୟୁ କରାଯାଉଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ଏକର ପ୍ରତି ୨୬କୁଇଣ୍ଟାଲ ରହିବା କଥା। ମାତ୍ର ଅନ୍ୟବର୍ଷ ଅପେକ୍ଷା ଏଥର ଟୋକନରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଛି। ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍‌ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଟୋକନରେ ତାର ସମାଧାନ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେହି ସମସ୍ୟା ଅସମାହିତ ରହିଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଚାଷୀମାନଙ୍କୁ ଅମଳ ଧାନ ବିକ୍ରି ଚିନ୍ତା ଘାରିଛି।
କଟାପାଲି ଗ୍ରାମର ଚାଷୀ ସୁଦାମ ସାହୁ କହିଛନ୍ତି, କଟାପାଲି ଗ୍ରାମର ୪୧୦ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଜଣ ଚାଷୀଙ୍କ ଟୋକନ ବ୍ଲକ ହୋଇଯାଇଛି। ୧୨୦ରୁ ଅଧିକ ଚାଷୀଙ୍କ ଟୋକନ ଆସିନାହିଁ। ଅବଶିଷ୍ଟ ଯେଉଁମାନଙ୍କ ଟୋକନ ଆସିଛି, ସେଥିରୁ ପ୍ରାୟ ୫ପ୍ରତିଶତ ଚାଷୀଙ୍କୁ ଛାଡ଼ି ଦେଲେ ବାକି ଚାଷୀଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ମାତ୍ର ୧୦/୧୨କୁଇଣ୍ଟାଲରୁ ୧୬କୁଇଣ୍ଟାଲ ମଧ୍ୟରେ ସୀମିତ ରହିଛି। ସେହିପରି ବରପାଲି ବ୍ଲକ ଗ୍ରୀଣ୍ଡୋଲାର ଅନ୍ୟ ଜଣେ ଚାଷୀ କହିଥିଲେ, ତାଙ୍କ ସ୍ତ୍ରୀଙ୍କ ନାମରେ ୬ଏକର ୩୦ ଡେସିମିଲ ରହିଛି। ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ମାତ୍ର ୩୩ କୁଇଣ୍ଟାଲ ରହିଛି। ଏ ନେଇ ଗତ ମାସ ୧୨ତାରିଖରୁ ସେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ କେବଳ ଏହି ୨ଜଣ ଚାଷୀ ନୁହଁନ୍ତି, ଜିଲାର ସବୁ ବ୍ଲକର ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇଛି। ଫଳରେ ସେମାନେ ଅମଳ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣି ପାରୁନାହାନ୍ତି। ଅନ୍ୟପଟେ ବାରମ୍ବାର କାଳବୈଶାଖୀ ମାଡ଼ି ଆସୁଥିବାବେଳେ ତୁହାକୁ ତୁହା ବର୍ଷା ଆସୁଛି। ଏହାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି କ୍ରମରେ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଉକ୍ତ ସମସ୍ୟା ନେଇ ମଙ୍ଗଳବାର ସମବାୟ ସମିତି ସମୂହ ଉପନିବନ୍ଧକ (ଡିଆର୍‌ସିଏସ୍‌) ଯୁଗଳ କିଶୋର ଦାଶଙ୍କୁ ଭେଟି ସମସ୍ୟାର ତ୍ୱରିତ ସମାଧାନ ଦାବି କରିଥିଲେ। ମାତ୍ର ସେ ନିଜ ଅସହାୟତା ପ୍ରକାଶ କରିବା ପରେ ଚାଷୀମାନେ ଏସ୍‌ପିଙ୍କ ପାଖକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ସୁଦାମ ସାହୁ, ପ୍ରଶାନ୍ତ ସାହୁ, ଭକ୍ତଚରଣ ସାହୁଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share