ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ ନାୟକ। ତ୍ରିଲୋଚନଙ୍କର ଜାନୁଆରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା। ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମଣ୍ଡି ପରିବର୍ତ୍ତେ ମିଲ୍କୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିବା ପରେ ମିଲ୍କୁ ଧାନ ନେଇ ଯାଇଥିଲେ ତ୍ରିଲୋଚନ। ରାମଚଣ୍ଡୀ ମିଲ୍ରେ ୩ ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ। ମିଲରକୁ କ୍ୱିଣ୍ଟାଲ ପିଛା ୬ କେଜି ବାଦ୍ ୩ କ୍ୱିଣ୍ଟାଲ ଧାନ ଓ ୩ ହଜାର ଟଙ୍କାର ଅନ୍ଲୋଡ୍ ପାଇଁ ଦେବା ପରେ ଧାନ ଅନ୍ଲୋଡ୍ ହେଲା। ତ୍ରିଲୋଚନଙ୍କର ସମୁଦାୟ ୯ କ୍ୱିଣ୍ଟାଲ ଧାନ କାଟିବା ସହ ଧାନ ଦେବା ପାଇଁ ୧୮୦୦୦ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଋଣଭାରରେ ବୁଡ଼ି ରହି ଶେଷରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ମିଲର ଓ ସମ୍ପାଦକଙ୍କ ନିର୍ଯାତନା ସହି ନ ପାରି କାଲି ମିଲ୍ରୁ ଫେରି ଘରେ ପହଞ୍ଚିବା କ୍ଷଣି ପ୍ରାଣ ହରାଇଛନ୍ତି ଚାଷୀ। ତ୍ରିଲୋଚନଙ୍କ ମୃତ୍ୟୁ ମିଲର ଓ ସମ୍ପାଦକଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ହୋଇଛି।

