ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ ପଶି ଶିକ୍ଷୟିତ୍ରୀ ସନ୍ଧ୍ୟାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଅଭିଯୁକ୍ତ ସ୍କୁଲରେ ପହଞ୍ଚି ମାତ୍ର ୩୨ ସେକେଣ୍ଡ ମଧ୍ୟରେ ୩୪ ଥର ଛୁରି ଆଘାତ କରିଥିଲା। ଗୁରୁତର ଆହତ ଅବସ୍ଥାରେ ସନ୍ଧ୍ୟା ତଳେ ପଡ଼ିଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍କୁଲର ପ୍ରିନ୍ସିପାଲ ଡ଼ଃ ତେଜପାଲ ଶର୍ମା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଉପରେ ମଧ୍ୟ ଛୁରିରେ ଆକ୍ରମଣ କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲା। ସମଗ୍ର ଘଟଣା ସ୍କୁଲର CCTV କ୍ୟାମେରାରେ କଏଦ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କିଛି ଦିନ ପୂର୍ବରୁ ଶିକ୍ଷୟିତ୍ରୀ ସନ୍ଧ୍ୟା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ।ସେତେବେଳେ ଅଭିଯୁକ୍ତ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗିଥିଲା। ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।
ସ୍କୁଲ ପରିଚାଳକ ତେଜପାଲ ସିଂ କହିଛନ୍ତି, ସନ୍ଧ୍ୟା ଗତ ଏକ ବର୍ଷ ଧରି ସ୍କୁଲରେ ପାଠ ପଢ଼ାଉଥିଲେ। ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କୁ କହିଥିଲା ଯେ ସେ ପରିଚାଳକଙ୍କୁ ଭେଟିବାକୁ ଆସିଛି ଏବଂ ଶିକ୍ଷୟିତ୍ରୀଙ୍କୁ ଡାକିବାକୁ କହିଥିଲା। ଘଟଣା ପରେ ସେ ନମ୍ବର ପ୍ଲେଟ୍ ନଥିବା ଏକ ମୋଟରସାଇକେଲରେ ଫେରାର ହୋଇଯାଇଥିଲା। ଆହତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଅଲଫାଲାହ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ସନ୍ଧ୍ୟା ବଲ୍ଲଭଗଡ଼ର ଡବୁଆ ଅଞ୍ଚଳର ବାସିନ୍ଦା ଥିବାବେଳେ ବର୍ତ୍ତମାନ ସ୍ୱାମୀ ବିକ୍କିଙ୍କ ସହ ଫିରୋଜପୁର କଲାଁରେ ରହୁଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। CCTV ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରକ୍ରିୟା ଜାରି ରଖିଛି ।