ବିବାହ ବନ୍ଧନରେ ଶିବାନୀ-ଫରହାନ

ମୁମ୍ବାଇ: ଦୀର୍ଘ ୪ ବର୍ଷର ଡେଟିଂ ପରେ ବଲିଉଡ କଳାକାର ଫରହାନ ଖାଁ ଶେଷରେ ଶିବାନୀ ଦାଣ୍ଡେକରଙ୍କୁ ସାତ ଜନ୍ମ ପାଇଁ ଆପଣାର କରିନେଇଛନ୍ତି । ଶନିବାର ଏମାନେ ବିବାହ କରିଛନ୍ତି । ଏହାର ପ୍ରଥମ ଫଟୋ ଆସିବା ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ଏହି ନବ ଦମ୍ପତ୍ତିଙ୍କ ପାଇଁ ।
ବିବାହରେ ଫରହାନ ବ୍ଲାକ କଲର କୋଟ ପ୍ୟାଣ୍ଟରେ ନଜର ଆସିଥିବା ବେଳେ ଶିବାନୀ ଲାଲ ରଙ୍ଗର ଗାଉନରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ସବୁଠାରୁ ବଡ କଥା ହେଲା ନା ଏମାନେ ହିନ୍ଦୁ ରିତିନୀତି ନା ମୁସଲମାନ ରିତିନୀତି ଅନୁସାରେ ବିବାହ କରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ଓ ସାଧାରଣ ଭାବେ ବିବାହ କରିଛନ୍ତି । ଅବଶ୍ୟ ଏଥିରେ ସାମିଲ ହୋଇଥିବା ଅତିଥିମାନଙ୍କୁ ସେ ଏହା ଜଣାଇ ଦେଇଥିଲେ । ଆଉ ସେମାନଙ୍କୁ ସାଧାରଣ ଭାବେ ଆସି ବିବାହ ଉତ୍ସବରେ ଯୋଗ ଦେବାକୁ ବି କୁହାଯାଇଥିଲା । ଏହି ବିବାହରେ ଶିବାନୀଙ୍କ ବାନ୍ଧବୀ ରିଆ ଚର୍କବର୍ତ୍ତୀ, ଫରହାନଙ୍କ ସ୍ପେଶାଲ ବନ୍ଧୁ ହ୍ରିତିକ ରୋଶନ, ସାକିବ ସଲିମ, ଅମୃତା ଆରୋଡା, ଫିଲ୍ମ ମେକର ଆଶୁତୋଷ ଗୋୱାରିକର, ରବିନା ଟଣ୍ଡନଙ୍କ ପତି ଅନିଲ ଥଡାନୀ, ଅନୁଷା ଦାଣ୍ଡେକର, ଫିଲ୍ମ ମେକର ରାକେଶ ଓମ ପ୍ରକାଶ ମେହେରାଙ୍କ ସମେତ ଆଉ କେତେଜଣ ବଛାବଛା ସେଲିବ୍ରିଟି ଯୋଗ ଦେଇଥିଲେ ।
ଏମାନେ କେବେହେଲେ ନିଜ ଲଭ ଷ୍ଟୋରୀକୁ ଲୁଚାଇ ରଖି ନ ଥିଲେ । ଫରହାନ ଏକ ରିୟଲିଟି ଶୋ’କୁ ହୋଷ୍ଟ କରୁଥିବା ବେଳେ ସେହିଠାରେ ହିଁ ଶିବାନୀଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା । ଆଉ ଉଭୟ ପ୍ରେମରେ ପଡିଯାଇଥିଲେ । ଏହାର କିଛିଦିନ ପରେ ସୋସିଆଲ ମିଡିଆରେ ଏମାନଙ୍କ ଫଟୋକୁ ନେଇ ଚର୍ଚ୍ଚାବି ହୋଇଥିଲା । ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ବିବାହରେ ଏମାନଙ୍କୁ ଏକାଠି ଦେଖି ଆଲୋଚନା ହୋଇଥିବା ବେଳେ ଏମାନେ ପରସ୍ପରକୁ ଭଲପାଉଥିବା କଥା ଖୋଲାଖୋଲି ଭାବେ କହିଥିଲେ । ଫରହାନଙ୍କର ଏହା ହେଉଛି ଦ୍ୱିତୀୟ ବିବାହ ।

Share