ଭାରତ ଠାରୁ ଦୂରେଇ ପାକିସ୍ତାନର ନିକଟତର ହେଉଛି ରୁଷିଆ…

ମସ୍କୋ, ୧୯।୯ : ରୁଷିଆ ସର୍ବଦା ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ହୋଇ ରହି ଆସିଛି । କିନ୍ତୁ ସମ୍ପ୍ରତି ରୁଷିଆର ମନୋଭାବରେ କିଛିଟା ବଦଳିଥିବା ଜଣାପଡିଛି। ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ଏହା ଦେଖିବାକୁ ମିଳିଛି। ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ସମୟରେ ପୁଟିନ କହିଛନ୍ତି ଯେ ରୁଷିଆ ପାକିସ୍ତାନକୁ ଗହମ ଏବଂ ଗ୍ୟାସ ଯୋଗାଇ ପାରିବ। କାରଣ ପାକିସ୍ତାନର ଅବସ୍ଥା ପୂର୍ବରୁ ଖରାପ ଏବଂ ବର୍ତ୍ତମାନ ବନ୍ୟା ପରିସ୍ଥିତି ସେଠାରେ ଅବସ୍ଥାକୁ ଆହୁରି ଖରାପ କରିଦେଇଛି।

ଏଭଳି ପରିସ୍ଥିତିରେ ପାକିସ୍ତାନର ମାନବିକତା ଆଧାରରେ ଗହମ ଯୋଗାଇବାରେ କୌଣସି କ୍ଷତି ନାହିଁ, କିନ୍ତୁ ଗ୍ୟାସ ଯୋଗାଣ ପ୍ରସଙ୍ଗ ନିଶ୍ଚିତ ଭାବରେ ଭାରତର ଚିନ୍ତାକୁ ବଢ଼ାଇ ଦେଇଛି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ପୁଟିନ ପାକିସ୍ତାନକୁ ଗ୍ୟାସ ଯୋଗାଣ ପାଇଁ ଏକ ନୂତନ ଭିତ୍ତିଭୂମି ବିକାଶ ବିଷୟରେ କହିଛନ୍ତି ତେଣୁ ଭାରତ ଲାଗି ଏହା ଚିନ୍ତା ଜନକ ହୋଇଛି।

ରୁଷିଆ ବୈଠକରେ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (ଟିଏପିଆଇ) ପାଇପଲାଇନ ବିଷୟରେ ଉଲ୍ଲେଖ କରିନାହିଁ, କିନ୍ତୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ଦେଇ ପାକିସ୍ତାନ ପାଇଁ ଏକ ପୃଥକ ପାଇପଲାଇନ ହେବ ବୋଲି କହିଛି। ପୁଟିନ କହିଛନ୍ତି ଯେ ପୂର୍ବରୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ପାଇଁ ଏକ ଗ୍ୟାସ ଲାଇନ ଅଛି। ବହିର୍ବ୍ୟାପାର ଅନୁଯାୟୀ ରୁଷିଆ ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଏସସିଓ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧରୁ ବାହାରକୁ ଆସିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ଯୁଗ ଯୁଦ୍ଧର ନୁହେଁ। ଏହାପରେ ପୁଟିନ ଏଭଳି କରୁଥିବା ଚର୍ଚ୍ଚା ହେଉଛି।

Share