ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହାରି ମଧ୍ୟରେ ନିକଟରେ ପୋଲାଣ୍ଡର ଲାବଲିନ ସହରରେ ବାଇକ୍‌ ରେସ୍‌ ଅନୁଷ୍ଠିତ ହୋଇଯାଇଛି। ୧୩ ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ଷ୍ଟାଡିୟମ୍‌ରେ ଏହା ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ଯୋଗୁ ଷ୍ଟାଡିୟମ୍‌ରେ ମାତ୍ର ୨୫ ପ୍ରତିଶତ ସିଟ୍‌ ବୁକ୍‌ ହୋଇଥିଲା। କିନ୍ତୁ ପ୍ରଶଂସକଙ୍କୁ ଏହି ରେସ୍‌ ଦେଖିବାର ଥିଲା। ତେଣୁ ସେମାନେ ସାମାଜିକ ଦୂରତ୍ୱ ପାଳନକରି ଏକ ଭିନ୍ନ ଉପାୟ ଆପଣାଇ ଏହି ରେସ୍‌କୁ ଦେଖିଥିଲେ। ପ୍ରଶଂସକମାନେ ରେସ୍‌ ଦେଖିବା ପାଇଁ ୨୧ଟି କ୍ରେନ୍‌କୁ ଭଡ଼ାରେ ନେଇଥିଲେ। ପ୍ରତି କ୍ରେନ୍‌ରେ ୨ରୁ ୪ଜଣ ଲେଖାଏ ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷାକରି ଚଢ଼ିଥିଲେ। ଏହା ପରେ କ୍ରେନ୍‌ ଉପରକୁ ଉଠିଥିଲା। ଏହି ରେସ୍‌କୁ ପ୍ରଶଂସକମାନେ କ୍ରେନ୍‌ ସାହାଯ୍ୟରେ ମଜା ଉଠାଇଛନ୍ତି। କ୍ରେନ୍‌ଗୁଡିକୁ ଷ୍ଟାଡିୟମ୍‌ ଲବିରେ କିଛି ଦୂରତା ବ୍ୟବଧାନରେ ରଖାଗଲା। ଯାହାଦ୍ୱାରା ପ୍ରଶଂସକମାନେ ପ୍ରାୟ ୬୫ ଫୁଟ ଉପରୁ ରେସ୍‌ର ମଜା ନେଇପାରିଛନ୍ତି।

Share