ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବା ପାଇଁ ୧୦୦୦ କିମି ଚାଲିଲେ ଫ୍ୟାନ: ଘର ମାଗିବାରୁ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଫିଟନେସ ସମସ୍ୟା ଯୋଗୁ ଦଳଠାରୁ ଦୂରରେ ଥିଲେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ନିଜର କଠିନ ପରିଶ୍ରମ ଓ ସଂଘର୍ଷ ବଳରେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ହାର୍ଦ୍ଦିକଙ୍କ ପାଇଁ ଜଣେ ପ୍ରଶଂସକଙ୍କ ଅସାଧାରଣ ଭଲପାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିଜ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ଜଣେ ଫ୍ୟାନ ଲକ୍ଷ୍ନୌରୁ ମୁମ୍ବାଇ ପର୍ଯ୍ୟନ୍ତ ପ୍ରାୟ ୧୦୦୦ କିଲୋମିଟର ପାଦରେ ଚାଲି ଆସିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ହାର୍ଦ୍ଦିକଙ୍କୁ ଭେଟିବା ପାଇଁ ଏତେ ଦୂର ଚାଲି ଆସିଥିବା ପ୍ରଶଂସକଙ୍କ କଥା ଜାଣିବା ପରେ ସେ ଭାବପ୍ରବଣ ହୋଇପଡ଼ିଥିଲେ। ଏହାପରେ ସେ ନିଜ ପ୍ରଶଂସକଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ଘରକୁ ଫେରିବା ପାଇଁ ଟିକେଟ୍‌ର ବ୍ୟବସ୍ଥା ମଧ୍ୟ କରିଥିବା କୁହାଯାଉଛି। କେବଳ ସେତିକି ନୁହେଁ, ହାର୍ଦ୍ଦିକ ନିଜ ଫ୍ୟାନଙ୍କୁ ପଚାରିଥିଲେ, ତାଙ୍କ ପାଇଁ ଆଉ କିଛି କରିପାରିବେ କି? ଏହାର ଉତ୍ତରରେ ପ୍ରଶଂସକ ଜଣକ ତାଙ୍କୁ ଗୋଟିଏ ଘର ଦେବାକୁ ଅନୁରୋଧ କରିଥିଲେ। ପ୍ରଶଂସକଙ୍କ ଅନୁରୋଧ ଶୁଣି ହାର୍ଦ୍ଦିକ କହିଥିଲେ ଠିକ ଅଛି, ମୁଁ ଆପଣଙ୍କୁ ଘର ଯୋଗାଇବାରେ ସାହାଯ୍ୟ କରିବି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ପ୍ରଶଂସକଙ୍କ ପ୍ରତି ହାର୍ଦ୍ଦିକଙ୍କ ବ୍ୟବହାରକୁ ନେଇ ଅନେକେ ପ୍ରଶଂସା କରୁଛନ୍ତି।

Dharitri – Odisha’s No.1 Odia Daily

 

Share