ଅଟୋଗ୍ରାଫ୍ ଦେବା ବେଳେ କୃଣାଳ ପାଣ୍ଡାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦର୍ଶକ, ରାଗିଯାଇ… Video ଭାଇରାଲ

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ସମୟରେ ଏକ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରୋଦା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ବରୋଦା ଅଧିନାୟକ କୃଣାଲ ପାଣ୍ଡ୍ୟା ପ୍ରଶଂସକମାନଙ୍କୁ ଅଟୋଗ୍ରାଫ୍ ଦେବା ପାଇଁ ବାଉଣ୍ଡାରୀ ରୋପ୍ ପାଖକୁ ଯାଇଥିବା ବେଳେ ଜଣେ ଦର୍ଶକ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହି ଘଟଣାରେ କୃଣାଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ପ୍ରାରମ୍ଭିକ ଭାବେ ରାଗ ପ୍ରକାଶ କରିବା ସତ୍ତ୍ୱେ ଏହି ଭାରତୀୟ ଅଲରାଉଣ୍ଡର ବେଶ୍ ସଂଯମତା ଓ ଖେଳୁଆଡ଼ ମନୋଭାବ ଦେଖାଇ ସେଠାରେ ଉପସ୍ଥିତ ଥିବା ଅନ୍ୟ ପ୍ରଶଂସକମାନଙ୍କୁ ନିରାଶ କରିନଥିଲେ।

କୃଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ବରୋଦା ଦଳ ଝାଡ଼ଖଣ୍ଡକୁ ୫ ଉଇକେଟରେ ପରାସ୍ତ କରିବା ପରେ ଏହି ପୂରା ଘଟଣା ଘଟିଥିଲା। ମ୍ୟାଚ୍ ଶେଷ ହେବା ପରେ କୃଣାଲ ବାଉଣ୍ଡାରୀ ଲାଇନ୍ ପାଖରେ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇବା ଏବଂ ଅଟୋଗ୍ରାଫ୍ ଦେବା ପାଇଁ ଆଗକୁ ବଢ଼ିଥିଲେ। ସେ ବାଉଣ୍ଡାରୀ ରୋପ୍ ପାର ହେବା ମାତ୍ରେ ଭିଡ଼ ଭିତରୁ ଜଣେ ପ୍ରଶଂସକ ତାଙ୍କ ଆଡ଼କୁ ଗୋଟିଏ ଜୋତା ଫିଙ୍ଗିଥିଲେ, ଯାହାକୁ କୃଣାଲ ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ତେବେ ସୀମା ସେତେବେଳେ ପାର ହୋଇଗଲା ଯେତେବେଳେ ତୁରନ୍ତ ଆଉ ଏକ ଜୋତା ପବନରେ ଉଡ଼ି ତାଙ୍କ ଆଡ଼କୁ ଆସିଥିଲା। ଏଥର ବରୋଦା ଅଧିନାୟକ ଅତି ନିକଟରୁ ଆହତ ହେବାରୁ ବର୍ତ୍ତି ଯାଇଥିଲେ ଏବଂ ଏହି ଅଭଦ୍ରାମୀରେ ରାଗି ଯାଇଥିଲେ। କୃଣାଲ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କଡ଼ା ଚେତାବନୀ ଦେଇଥିଲେ, କିନ୍ତୁ ଏହାର ତୁରନ୍ତ ପରେ ନିଜକୁ ଶାନ୍ତ କରି ଅନ୍ୟ ପ୍ରଶଂସକମାନଙ୍କୁ ଭେଟି ଅଟୋଗ୍ରାଫ୍ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ କୃଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବରୋଦା ଦଳ ଆଶାଠାରୁ ବହୁତ ଭଲ ପ୍ରଦର୍ଶନ କରୁଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି ମ୍ୟାଚରୁ ବରୋଦା ୫ଟିରେ ବିଜୟ ହାସଲ କରିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି। ଚଣ୍ଡିଗଡ଼ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ହାରିବା ପରେ ଦଳ ଲଗାତାର ପାଞ୍ଚଟି ମ୍ୟାଚ୍ ଜିତି ୨୦ ପଏଣ୍ଟ ହାସଲ କରିଛି ଏବଂ +2.207 ର ଚମତ୍କାର ନେଟ୍ ରନ୍ ରେଟ୍ ସହ ନିଜ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିଛି।

Dharitri – Odisha’s No.1 Odia Daily

Share