ଫ୍ୟୁଜନ କରି ପ୍ରସିଦ୍ଧ

କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଗତ ପ୍ରାୟ ଦୁଇ ମାସରେ ଏହାର ଦର୍ଶକ ସଂଖ୍ୟା ୩୨ ମିଲିୟନ ଟପିଯାଇଥିବା ବେଳେ ସଂଖ୍ୟା ବଢ଼ିବାରେ ଲାଗିଛି। ଉକ୍ତ ଭିଡିଓର ନାମ ହର ହର ଶମ୍ଭୁ ଶିବ ମହାଦେବ …।

ଏଥିରେ ସେ ଏବଂ ତାଙ୍କ ସହିତ ଗାଇଥିବା ବଡ଼ବିଲ ନିକଟ କଳିଙ୍ଗ ଅଞ୍ଚଳର ଅଭିଲିପ୍ସା ପଣ୍ଡା ରାତାରାତି ପ୍ରସିଦ୍ଧ ହୋଇଛନ୍ତି। ଏଥିରେ ଜିତୁ ନିଜେ ଗୀତ ମଧ୍ୟ ଲେଖିଛନ୍ତି।
ସାଧାରଣ ପରିବାରରେ ଜନ୍ମିତ ଜିତୁଙ୍କ ଏକ ଜେରକ୍ସ ଦୋକାନ ରହିଛି। ଭିଡିଓ ଗୀତ ଗାଇ ସୋସିଆଲ ମିଡିଆରେ ଅପଲୋଡ୍‌ କରିବା ତାଙ୍କର ନିଶା। ଏଥିପାଇଁ ଧାର କରଜ ମଧ୍ୟ କରିଥାନ୍ତି। ବାପା ପରିବା ବିକି ପରିବାର ଚଳାନ୍ତି ଏବଂ ମା ଗୃହିଣୀ। ଏହି ନିଶା ବହୁ ଆଗରୁ ରହିଥିଲେ ହେଁ ଏଥିପାଇଁ ବହୁ ଖର୍ଚ୍ଚ କରିଥିଲେ ବି ସଫଳ ହୋଇପାରି ନ ଥିଲେ ଜିତୁ। ପୂର୍ବରୁ ହିନ୍ଦୀ ଓ ନାଗପୁର ଆଦି ଗୀତ ଗାଇ ଅପଲୋଡ୍‌ କରୁଥିଲେ। ତେବେ କୋଭିଡ୍‌ ସମୟରେ ତାଙ୍କ ଉପରେ ସତେ ଯେପରି ପ୍ରଭୁ ଶିବଙ୍କ ଆଶୀର୍ବାଦ ଝରିପଡିଲା।
୨୦୨୧ରେ ଆରମ୍ଭ କଲେ ଶିବଙ୍କ ଉପରେ ଆଧାରିତ ଭଜନ ଓ ସଙ୍ଗୀତ। ‘ଭୋଲେନାଥ ତେରା ସାଥ୍‌’ ଭିଡିଓ ଭଜନ କଲେ। ଉକ୍ତ ଭିଡିଓକୁ ଗୋଟିଏ ମାସରେ ୧୦ ଲକ୍ଷ ଦର୍ଶକ ଦେଖିଲେ। ସେ କୁହନ୍ତି ଯେ, ଭାବିଲି ଶିବ ହିଁ ଏହା ଚାହୁଁଛନ୍ତି ସେଥିଲାଗି ତାଙ୍କ ଭଜନ ଗାଉଛି। ତା ପରେ ମେରି ପାଗଲି କୋ ଯାନା କେଦାରନାଥ ଭିଡିଓ ପ୍ରସ୍ତୁତ କଲି। ତାହା ମଧ୍ୟ ସଫଳ ହେଲା। ବିଶେଷ ଭାବେ ଅଧିକ ପ୍ରସାର ପାଇଁ ଇନଷ୍ଟାଗ୍ରାମର ସହାୟତା ନେଲି। ତାପରେ ଚଳିତ ବର୍ଷ ଏପ୍ରିଲ ୨୭ରେ ‘ହର ହର ଶମ୍ଭୁ ଶିବ ମହାଦେବ’ ଏବଂ ‘ମଞ୍ଜିିଲେ କେଦାର ନାଥ’ ଭିଡିଓ ପ୍ରସ୍ତୁତ କଲି। ତେଣୁ ସେ ଶିବ ମହାଦେବଙ୍କ ସ୍ତୋତ୍ରକୁ ଭଜନ ଆକାରରେ ଲେଖି ଗୀତ ପ୍ରସ୍ତୁତ କଲେ। ଏଥିରେ ପାଶ୍ଚାତ୍ୟ ସଭ୍ୟତା ଷ୍ଟାଇଲ ଦେବା ପାଇଁ ଉଦ୍ୟମ କଲେ। ତାଙ୍କ ସହିତ ଗୀତ ଗାଇବା ପାଇଁ ଗାୟିକା ଖୋଜିଲେ। ତେବେ ବଡବିଲ ଅଞ୍ଚଳରେ ରାଜ୍ୟପାଳ ଟ୍ରଫି ପାଇଥିବା ଅଭିଲିପ୍ସା ପଣ୍ଡାଙ୍କ ସନ୍ଧାନ ପାଇ ସାମିଲ କଲେ। ସେ ଓଡ଼ିଶା ସୁପର ସିଙ୍ଗରରେ ଟପ୍‌ ୧୫ରେ ଥିବାସହ ବିଭିନ୍ନ ରିୟାଲିଟି ଶୋରେ ପ୍ରଦର୍ଶନ କରି ନାଁ କମାଇଛନ୍ତି। ଗୀତକୁ ନୂଆ ରୂପ ଦେଇ ପ୍ରସ୍ତୁତ କରି ୟୁ ଟ୍ୟୁବରେ ଅପଲୋଡ୍‌ କରାଯାଇଥିଲା ବୋଲି ଜିତୁ କୁହନ୍ତି। ଏହି ଗୀତ ରାତାରାତି ଭାଇରାଲ ହୋଇଗଲା। ଏବେ ବିଭିନ୍ନ ସ୍ଥାନରୁ ମିଳୁଛି କାର୍ଯ୍ୟକ୍ରମ ଆୟୋଜନର ଡାକରା। ଏହି ଗୀତରେ ଶ୍ଳୋକକୁ ପାଶ୍ଚାତ୍ୟ ଶୈଳୀରେ ଗାନ କରାଯାଇଥିବାରୁ ଅନେକ ଏହାକୁ ପ୍ରଂଶସା କରିଛନ୍ତି। ବିଲୁପ୍ତ ହୋଇଯାଉଥିବା ବିଭିନ୍ନ ଦେବଦେବୀଙ୍କ ସ୍ତୋତ୍ରକୁ ନୂଆ ରୂପରେ ଲୋକଙ୍କ ପାଖରେ ବିଶେଷ କରି ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିତୁ କୁହନ୍ତି। ଗୀତ ଗାଇଲେ ଘର ଚଳାଇବାକୁ ଦୁଇ ପଇସା ମିଳିବ। ଏହାଦ୍ୱାରା ଭାରତୀୟ ସଂସ୍କୃତି ଓ ପରମ୍ପରା ରକ୍ଷା କରାଯିବା ସହ ସଙ୍ଗୀତ କାଳ କାଳକୁ ଅମର ହୋଇ ରହିବ ବୋଲି ଜିତୁ କହିଛନ୍ତି। ଅଭିଲିପ୍ସା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଫଳାଫଳ ଅପେକ୍ଷାରେ ଅଛନ୍ତି। ତାଙ୍କ ବାପା ଅଶୋକ ପଣ୍ଡା ଏକ ଖଣି କମ୍ପାନୀରେ ସୁରକ୍ଷା ଅଧିକାରୀ ଭାବେ କାମ କରୁଥିବା ବେଳେ ମା’ ପୁଷ୍ପଶ୍ରୀ ପତି ଜଣେ ଶିକ୍ଷୟିତ୍ରୀ।

ନରେଶ ଚନ୍ଦ୍ର ପଟ୍ଟନାୟକ