ଡେରାବିଶର ପ୍ରସିଦ୍ଧ ଭାଲୁକୁଣୀ ମେଳଣ

ଡେରାବିଶ,୩ା୧୦ (ବେବର୍ତ୍ତା ଅଜୟ ଦାସ): ଉତ୍କଳୀୟମାନଙ୍କ ପାଇଁ ତଅପୋଇ କାହାଣୀ ଏକ ଇତିହାସର ସ୍ମୃତି ସ୍ତମ୍ଭ ପାଲଟିଛି। ଏଥିସହ ଯୋଡ଼ିହୋଇ ରହିଛି ଅତୀତର ସାଧବ ପୁଅଙ୍କ ନୌବାଣିଜ୍ୟ ଯାତ୍ରା। ଏହି ନୌବାଣିଜ୍ୟ ଯାତ୍ରା ପରମ୍ପରା ସହ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାର ସମ୍ପର୍କ ଅତି ନିବିଡ଼। ଅତୀତର ଏହି ସ୍ମୃତିକୁ ବଜାୟ ରଖିବା ପାଇଁ ଏବଂ ନିଜ ଭାଇମାନଙ୍କର ମଙ୍ଗଳ କାମନା ପାଇଁ ଶ୍ରାବଣ ପୂର୍ଣ୍ଣିମାର ପର ରବିବାର ସେପ୍ଟେମ୍ବର ୩ରୁ ଆରମ୍ଭ ହୋଇଥିବା ଭାଲୁକୁଣୀ ପୂଜା ୫ଟି ରବିବାର ସନ୍ଧ୍ୟାରେ ଗ୍ରାମର ଝିଅମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ମାସେ ଧରି ଏହି ଭାଲୁକୁଣୀ ପୂଜା ପାଇଁ ଚଳଚଞ୍ଚଳ ହୋଇଥିଲା ଡେରାବିଶ ଅଞ୍ଚଳ। ସୋମବାର ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତ ସ୍ଥିତ ରଥପଡ଼ିଆଠାରେ ବହୁ ପ୍ରାଚୀନ ଭାଲୁକୁଣୀ ମେଳଣ ଶେଷ ହୋଇଛି। ପାରମ୍ପରିକ ରୀତିନୀତି ମଧ୍ୟରେ ଏହି ମେଳଣ ରବିବାର ରାତିରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ମେଳଣର ଥାନପତି ରଥପଡ଼ିଆ ମେଢ଼ ମେଳଣ ପଡିଆରେ ଉପବେଶନ କରିବା ପରେ ବିଭିନ୍ନ ଗ୍ରାମରୁ ଭାଲୁକୁଣୀଙ୍କ ସୁସଜ୍ଜିତ ମେଢ ଘଣ୍ଟ, ସଂକୀର୍ତ୍ତନ, ବାଜା ପଟୁଆର ଓ ରଙ୍ଗବେରଙ୍ଗର ଆତସବାଜି ମଧ୍ୟରେ ପ୍ରବେଶ କରିଥିଲା। ମେଳଣରେ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ଦୁମୁକା, ତିଲକପୁର, କଚେରି ତଳ, ଓଝାସାହି, ଚଷାଖଣ୍ଡ, ପାଣ୍ଡେସାହି, ବଣିଆସାହି, କାଜିପୁର ଓ ଦିଆପଡ଼ା, ବାଲିଆ ପଞ୍ଚାୟତ ତୋଟାସାହି, ହୁରାସାହି, ମୁଲଣାପାଟଣା ଓ ଦରବୋଲ, ଚାଟରାଚକଡ଼ା ପଞ୍ଚାୟତର ଗୋବିନ୍ଦପୁର ଓ ଚାଟରାଚକଡା ଏବଂ କାଉପଡ଼ା ପଞ୍ଚାୟତର ସାନଫୋଗଳ ଗ୍ରାମରୁ ୨୩ଟି ମେଢ ସୋମବାର ପୂର୍ବାହ୍ନରେ ମେଳଣ ପଡ଼ିଆରେ ପହଞ୍ଚତ୍ଥିଲେ। ଦୁମୁକା ହାଟ ଥାନପତି ମେଢ ପକ୍ଷରୁ ସମସ୍ତ ମେଢ ନିକଟରେ ଭୋଗ ଲାଗି ସହିତ ଆସନ୍ତା ବର୍ଷ ମେଳଣ ପାଇଁ ବରଣୀ କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ମେଢ ରୋଶଣି ମଧ୍ୟରେ ନିଜ ଗ୍ରାମକୁ ଫେରିଥିଲେ। ପରମ୍ପରା ଅନୁଯାୟୀ, ବିଭିନ୍ନ ସ୍ଥାନରେ ଭୋଗ ଗ୍ରହଣ କରିଥିଲେ। ଏଥିସହ ବିଭିନ୍ନ ମେଢ ସହ ଆସିଥିବା ଗ୍ରାମର ମୁରବିମାନଙ୍କ ମଧ୍ୟରେ ସମ୍ପର୍କ ବନ୍ଧନ ପାଇଁ କୋଳାକୋଳି ହୋଇଥିଲା। ମେଳଣ ଅବସରରେ ପଡ଼ିଆରେ ଶତାଧିକ ଦୋକାନୀ ସେମାନଙ୍କର ଦୋକାନ ପସରା ମେଲାଇଥିଲେ। ଶୃଙ୍ଖଳା ରକ୍ଷା ପାଇଁ ଡେରାବିଶ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଶୃଙ୍ଖଳାରେ ମେଳଣ ଶେଷ ହୋଇଥିବାରୁ କମିଟି ପକ୍ଷରୁ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।