ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ କେଶରୀ ସିଂହ(୫୦) ଓ ସେ ଜୁନାଗଡ଼ ବ୍ଲକର ଦେଉଣ୍ଡି ଗ୍ରାମର ବୋଲି ଜଣାପଡ଼ିଥିଲା। ତେବେ ତାଙ୍କୁ ଧକ୍କା ଦେଇଥିବା ବାଇକ ଆରୋହୀ ଜଣକ ପୋଲିସ ଏଏସଆଇ କେଦାର ମାଝୀ ବୋଲି ଜଣାପଡିଛି ।
ଏପରିକି ସମ୍ପୃକ୍ତ ବାଇକ ମଧ୍ୟ ନୂଆପଡା ଜିଲା କୋମନା ପୋଲିସ ଥାନାର ବୋଲି ପଞ୍ଜିକରଣ ହୋଇଛି । ଦୁର୍ଘଟଣା ଘଟାଇଥିବା ପୋଲିସ ବାବୁଙ୍କୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ପୋଲିସ ମଧ୍ୟ ତାଙ୍କୁ ଆଗତୁରା ଛାଡି ଦେଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ମୃତକଙ୍କ ପରିବାର ଲୋକ ସମେତ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି ଏହି ମାମଲା ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ଏଏସଆଇଙ୍କ ଭୂମିକା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ମୃତକଙ୍କ ପରିବାର ନ୍ୟାୟ ପାଇଁ ଧର୍ମଗଡ଼ ଏସଡିପିଓଙ୍କୁ ଓ ଗୁରୁବାର କଳାହାଣ୍ଡି ଏସ ପି ନାଗରାଜ ଦେବର କୋଣ୍ଡାଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ଦେଇଛନ୍ତି।
ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ତେବେ ଏସପି ମଧ୍ୟ ଏହି ଘଟଣାରେ ଗୁରୁତ୍ବ ଦେଇ ଘଟଣାରେ ପୋଲିସ ହେଉ ଅବା ଯିଏ ବି ଦୋଷୀ ଥାଉ ତାକୁ ଛଡା ଯିବ ନାହିଁ ବୋଲି କହିଥିବା ଅଭିଯୋଗକାରୀଙ୍କ ଠାରୁ ଜଣାପଡିଛି। ମୃତ ବିକ୍ରମ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ତ୍ରୀ ଓ ଦୁଇ ପୁଅ ଅସହାୟ ହୋଇପଡ଼ିଛନ୍ତି । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ପୋଲିସ କର୍ମଚାରୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା କରି ମୃତକଙ୍କ ପରିବାର ପକ୍ଷରୁ ଚିନ୍ତା ପ୍ରକଟ କରିଛନ୍ତି ।