ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଶନିବାର ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନିଲଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ରାଶିର ଚେକ୍‌ ପ୍ରଦାନ କରିଥିଲେ।

ଗତ ଜୁନ୍‌ ମାସରେ ଏକ ଦୁର୍ଘଟଣାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ପରିବାର ଗଭୀର ଦୁଃଖରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ।

ଏହି କ୍ରମରେ ବିଧାୟକ ନାୟକ ପରିବାରକୁ ଭେଟି ଦୁଃଖଦ ସମୟରେ ସମବେଦନା ଜଣାଇବା ସହ ମଞ୍ଜୁର ହୋଇଥିବା ସହାୟତା ରାଶିର ଚେକ୍‌ ପ୍ରଦାନ କରିଥିଲେ।

ଏହି ଅବସରରେ ତହସିଲଦାର ସୁକାନ୍ତ ମିଶ୍ର, ଅଧ୍ୟକ୍ଷାଙ୍କ ପ୍ରତିନିଧି ଇଞ୍ଜିନିୟର ବିନୋଦ ପାଢ଼ୀ, ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ବୈଠାରୁଙ୍କ ସମେତ ବହୁ ଜନପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରିବାରର ଏହି ଦୁଃଖଦ ସମୟରେ ସରକାରଙ୍କ ପକ୍ଷରୁ ମିଳିଥିବା ଆର୍ଥିକ ସହାୟତା ପରିବାରକୁ କିଛିମାତ୍ରାରେ ଆଶ୍ୱସ୍ତ କରିବ ବୋଲି କୁହାଯାଇଛି।

Dharitri – Odisha’s No.1 Odia Daily

Share