Categories: ଖେଳ

ସ୍ଥିତି ବିଗୁଡ଼ୁଛି: ଆଇସୋଲେଶନରେ ଦିଲ୍ଲୀର ମୁଖ୍ୟ କୋଚ୍‌

ମୁମ୍ବାଇ,୨୨।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସଂସ୍କରଣରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ଜଣେ ପରିବାର ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସେ ଆଇସୋଲେଶନରେ ରହିବେ। ଦଳ ପକ୍ଷରୁ ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଏନେଇ ସୂଚନା ଦିଆଯାଇଛି। ଟିମର ସୁରକ୍ଷାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶ ମୁତାବକ ମ୍ୟାଚରୁ ଦୂରେଇ ରଖାଯାଇଛି।

ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି, ପଣ୍ଟିଂଙ୍କ ଦୁଇଥର ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। କରୋନା ବାହାରିଥିବା ପରିବାର ସଦସ୍ୟଙ୍କ ସମ୍ପର୍କରେ ସେ ଆସିଥିବାରୁ ସେ ୫ ଦିନ ଆଇସୋଲେଶନରେ ରହିବାକୁ ଡାକ୍ତରୀ ଟିମ୍‌ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସେ ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅନୁପସ୍ଥିତ ରହିବେ।

ସୂଚନାଯୋଗ୍ୟ, ଅଲରାଉଣ୍ଡର ମିଚେଲ ମାର୍ସ ଓ ଉଇକେଟ କିପର୍‌ ଟିମ୍‌ ସେଫଟ୍‌ଙ୍କ ସମେତ ଦିଲ୍ଲୀ ଟିମ୍‌ର ଫିଜିଓ, ମସାଜ ଥେରାପିଷ୍ଟ, ଡାକ୍ତର, ସୋସିଆଲ ମିଡିଆ ଟିମ୍‌ ସଦସ୍ୟ ପ୍ରମୁଖ ୬ ଜଣ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହେଲେଣି। ବୋୟୋ ବବଲ୍‌ ଭିତରେ ରହି ମଧ୍ୟ ଖେଳାଳି ଓ ଟିମ ସଦସ୍ୟଙ୍କ କରୋନା ସଂକ୍ରମିତ ହେଉଥିବା ଏବେ ଚିନ୍ତାର କାରଣ ପାଲଟିଛି।

Share