Categories: ଜାତୀୟ

ଘର ଲୋକେ ଘର ଛାଡ଼ିବାକୁ ବାଧ୍ୟ କଲେ, ବର୍ତ୍ତମାନ କଂଗ୍ରେସରେ ଡାକ୍ତର ଜଣେ କମ୍ପାଉଣ୍ଡର, ଗୁଲାମ ନବୀ ବଖାଣିଲେ ଅନ୍ତର ବ୍ୟଥା…

ନୂଆଦିଲ୍ଲୀ, ୨୯।୮ : କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ପୁଣି ଥରେ ଗଣମାଧ୍ୟମ ସହ କଥା ହୋଇଛନ୍ତି। ଏହି ସମୟରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଘର ଲୋକେ ତାଙ୍କୁ ଘରୁ ବାହାରିବାକୁ ବାଧ୍ୟ କରିଥିଲେ। ଯେଉଁଠାରେ ପରିବାର ଅନୁଭବ କରନ୍ତି ଯେ ଏହି ବ୍ୟକ୍ତିଙ୍କୁ ଚାହୁଁ ନାହାଁନ୍ତି, ତେବେ ସେପରିସ୍ଥଳେ ନିଜେ ଘରୁ ବାହାରିବା ବୁଦ୍ଧିମାନର କାମ ବୋଲି ସେ କହିଛନ୍ତି। ଏଭଳି କହି ସେ ନିଜର ଅନ୍ତର ବ୍ୟଥା ବଖାଣିଛନ୍ତି।

ଭାଜପା ସହିତ ଜଡିତ ଥିବା ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କ ନାମ ନନେଇ କହିଛନ୍ତି ଯେ, ଭାଷଣ ଶେଷ ହେବା ପରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରନ୍ତି, ତା’ହେଲେ ସେ ସାକ୍ଷାତ କରିଛନ୍ତି କି ମୁଁ ସାକ୍ଷାତ କରିଛି? ଆପଣମାନେ କୁହନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୁଲାମ ନବୀ କହିଛନ୍ତି ଯେ ପ୍ରଥମେ ଜୟରାମ ରମେଶ ତାଙ୍କର ଡିଏନଏ ଯାଞ୍ଚ କରିବା ଉଚିତ ଯେ ସେ କେଉଁଠାରେ ଅଛନ୍ତି ଏବଂ କେଉଁ ଦଳରୁ ଆସିଛନ୍ତି। ସେ ଦେଖିବା ଉଚିତ ଯେ ତାଙ୍କ ଡିଏନଏ କେଉଁ ଦଳରେ ଅଛି। କଂଗ୍ରେସ କେଉଁଠାରେ ଅଛି ତାହା ବାହାର ଲୋକ ଜାଣନ୍ତି ନାହିଁ। ଯେଉଁମାନେ ଚାଟୁକାର ସେମାନଙ୍କର ଅଭିଯୋଗ ଭରା ଟୁଇଟ ଦ୍ୱାରା ଆମେ ଦୁଃଖ ଅନୁଭବ କରିଥାଉ ବୋଲି ସେ କହିଛନ୍ତି।

ଗୁଲାମ ନବୀ କହିଛନ୍ତି ଯେ ମୋଦିଙ୍କ ନାମ ଏକ ବାହାନା। ଜି-୨୩ର ଚିଠି ଲେଖାଯିବା ପରଠାରୁ ତାଙ୍କ ସହ ମୋର ବିବାଦ ରହିଛି। ସେ କେବେବି ଚାହୁଁ ନଥିଲେ ଯେ କେହି ତାଙ୍କୁ ଲେଖନ୍ତୁ, ତାଙ୍କୁ ପ୍ରଶ୍ନ କରନ୍ତୁ। କଂଗ୍ରେସର ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଗୋଟିଏ ବି ପରାମର୍ଶ ନିଆଯାଇ ନଥିଲା।

ଏକ ନୂତନ ଦଳ ଗଠନ ପରେ ଆବଶ୍ୟକ ହେଲେ ସେ ଭାଜପା ସହିତ ଯିବେ କି ବୋଲି ପଚରାଯାଇଥିବା ବେଳେ ସେ ଉତ୍ତର ଦେଇଛନ୍ତି ଯେ କଂଗ୍ରେସରେ ଅନେକ ଅଶିକ୍ଷିତ ଲୋକ ଅଛନ୍ତି। ମୁଁ ଭାଜପା ପାଇଁ ଗୋଟିଏ ଭୋଟ ଲାଗି କାହାକୁ ଅନୁରୋଧ ଆବେଦନ କରିପାରିବି ନାହିଁ।

କଂଗ୍ରେସ ଦଳରେ ନିର୍ବାଚନ ପ୍ରଶ୍ନ ଉପରେ ଗୁଲାମ ନବୀ କହିଛନ୍ତି ଯେ ମୁଁ କେବଳ କଂଗ୍ରେସ ପାଇଁ ପ୍ରାର୍ଥନା କରିପାରିବି। କିନ୍ତୁ ମୋର ପ୍ରାର୍ଥନା ଦ୍ୱାରା କଂଗ୍ରେସ ଆରୋଗ୍ୟ ହୋଇପାରିବ ନାହିଁ। କାରଣ ଔଷଧର ଆବଶ୍ୟକତା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତର ଜଣେ କମ୍ପାଉଣ୍ଡର। ବର୍ତ୍ତମାନ କଂଗ୍ରେସ ବିଶେଷଜ୍ଞଙ୍କ ଆବଶ୍ୟକ କରୁଛି।

Share