ଗବେଷଣା ପାଇଁ ଶରୀର ଦାନକଲେ ପରିବାର ବର୍ଗ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ) ଖୋର୍ଦ୍ଧା ଜିଲା ପାତ୍ରପଡ଼ା ଅଞ୍ଚଳର ୬୪ ବର୍ଷୀୟ ଶ୍ରୀନିବାସ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଜୀବନ ଯୁଦ୍ଧରେ ହାରିଯାଇ ସେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ସିନା, ହେଲେ ତାଙ୍କ ଶରୀର ତାଙ୍କ ପରି ଅନେକ ରୋଗୀଙ୍କ ଜୀବନକୁ ବଞ୍ଚାଇବାରେ ସହାୟକ ହେବାକୁ ଯାଉଛି। ପରିବାର ଲୋକେ ଓଡ଼ିଶା-ମୋ ପରିବାର ସହଯୋଗରେ ଶ୍ରୀନିବାସଙ୍କ ଶରୀରକୁ ମେଡିକାଲ ଗବେଷଣା ପାଇଁ ଭୁବନେଶ୍ୱର ଏମ୍ସକୁ ଦାନକରି ମହାନତାର ଉଦାହରଣ ସାଜିଛନ୍ତି। ଶ୍ରୀନିବାସ ଗତ କିଛିବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ବାଇଁ ତାଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ଗୁରୁବାର ସକାଳେ ଶ୍ରୀନିବାସ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପରିବାରବର୍ଗ ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ସମାଜ ଆଖିରେ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଗବେଷଣା ନିମନ୍ତେ ଶ୍ରୀନିବାସଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା-ମୋ ପରିବାର ପକ୍ଷରୁ ଅଙ୍ଗଦାନ ଅଭିଯାନ ସମ୍ପର୍କରେ ଖବର ପାଇବା ପରେ ପରିବାରବର୍ଗ ସ୍ବାସ୍ଥ୍ୟ ଉପଦେଷ୍ଟା ଡା. ସତ୍ୟଜିତ ଦାଶଙ୍କୁ ଯୋଗାଯୋଗ କରିଥିଲେ।