ଦାରିଦ୍ର୍ୟ ହ୍ରାସ ନେଇ ତ୍ରୁଟିପୂର୍ଣ୍ଣ ଦାବି

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ଦେଶରେ ସରକାରୀ ପ୍ରାୟୋଜିତ ଉନ୍ମାଦନା ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଇତିମଧ୍ୟରେ ଦେଶରେ ଦାରିଦ୍ର୍ୟ ଦୂରୀକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଜାରି କରିଛି। ଗତ ଦଶବର୍ଷର ଶାସନକାଳରେ ଦେଶରେ ଦାରିଦ୍ର୍ୟ ଦୃଶିଆ ହ୍ରାସ ପାଇଛି ବୋଲି ଏଥିରେ ଦାବି କରାଯାଇଛି। ଏହି ଅବଧିରେ ଦେଶର ପ୍ରାୟ ୨୫ କୋଟି ଲୋକ ଗରିବ ରେଖାରୁ ଉପରକୁ ଉଠିପାରିଛନ୍ତି ବୋଲି କୁହାଯାଇଛି। ତେବେ ଦାରିଦ୍ର୍ୟ ହ୍ରାସ ନେଇ ନୀତି ଆୟୋଗର ଏହି ରିପୋର୍ଟର ସଠିକତାକୁ ନେଇ ଅର୍ଥନୀତିଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି। ନିର୍ବାଚନର ଠିକ୍‌ ପୂର୍ବରୁ ସରକାରଙ୍କୁ ସୁହାଇଲା ପରି ଆୟୋଗ ତା’ର ରିପୋର୍ଟ ପ୍ରସ୍ତୁତ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମୋଦି କ୍ଷମତାକୁ ଆସିବାର ଠିକ୍‌ ପୂର୍ବରୁ ଅର୍ଥାତ୍‌ ୨୦୧୩-୧୪ ବେଳକୁ ଦେଶର ମୋଟ ଜନସଂଖ୍ୟାର ୨୯.୧୭% ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ। କିନ୍ତୁ ଗତ ନଅବର୍ଷର ଶାସନକାଳ ମଧ୍ୟରେ ଦେଶର ଜନସଂଖ୍ୟାରେ ଗରିବଙ୍କ ସଂଖ୍ୟାରେ ୧୭.୮୯% ହ୍ରାସ ପାଇ ବର୍ତ୍ତମାନ ତାହା କୁଆଡ଼େ ୧୧.୨୮%ରେ ପହଞ୍ଚତ୍ଛି। ଏହାର ଅର୍ଥ ହେଲା, ଦେଶର ଜନସଂଖ୍ୟାର ୨୪.୮୨ କୋଟି ଲୋକ ଗରିବୀରୁ ବାହାରକୁ ଆସିଛନ୍ତି ଏବଂ ବର୍ତ୍ତମାନ କେବଳ ୧୫ କୋଟି ଲୋକ ହିଁ ଗରିବ ରହିଛନ୍ତି ବୋଲି ନୀତି ଆୟୋଗ ଦାବି କରିଛି। ଯଦି ନୀତି ଆୟୋଗ କଥାକୁ ବିଶ୍ୱାସ କରାଯାଏ, ତା’ହେଲେ ଗତ ଦଶବର୍ଷ ମଧ୍ୟରେ ଦେଶରେ ବାର୍ଷିକ ୧୦.୬୬% ହାରରେ ଦାରିଦ୍ର୍ୟ କମିବାରେ ଲାଗିଛି। ଅର୍ଥାତ୍‌ ମୋଦିଙ୍କ ଶାସନକାଳରେ ଦେଶରେ ବାର୍ଷିକ ୨.୭୫ କୋଟି ମଣିଷ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଯଦି ଏହି ହାର ଅବ୍ୟାହତ ରହିବ, ତା’ହେଲେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଦେଶରେ ଆଉ ଜଣେହେଲେ କେହି ଦରିଦ୍ର ରହିବେ ନାହିଁ ବୋଲି ନୀତି ଆୟୋଗ ରିପୋର୍ଟରୁ ସ୍ପଷ୍ଟ ହେଉଛି।
ଦେଶରେ ଦାରିଦ୍ର୍ୟ ଦୂରୀକରଣ ସଫଳତାକୁ ନେଇ ନୀତି ଆୟୋଗ ରିପୋର୍ଟରେ ଯଦିଓ ବଡ଼ ଦାବି କରାଯାଇଛି, କିନ୍ତୁ ତା’ର ସଠିକତା ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ଦେଶରେ ଦାରିଦ୍ର୍ୟ ଆକଳନ ପାଇଁ ଏଯାଏଁ ଆପଣା ଯାଉଥିବା ବିଜ୍ଞାନସମ୍ମତ ପ୍ରକ୍ରିୟା ବଦଳରେ ନୀତି ଆୟୋଗ ବହୁଆୟାମୀ ଦାରିଦ୍ର୍ୟ ସୂଚକାଙ୍କକୁ ଆଧାରକରି ନିଜର ରିପୋର୍ଟ ପ୍ରସ୍ତୁତ କରିଛି। ଏହି ବହୁଆୟାମୀ ସୂଚକାଙ୍କଗୁଡ଼ିକ ମଧ୍ୟରେ ଦେଶରେ ପୁଷ୍ଟି ବୃଦ୍ଧି, ଶିଶୁ ଓ କିଶୋରଙ୍କ ମୃତ୍ୟୁ ହାରରେ ହ୍ରାସ, ମାତୃ ସ୍ବାସ୍ଥ୍ୟରେ ଉନ୍ନତି, ସ୍କୁଲ ଶିକ୍ଷାରେ ବିକାଶ, ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ବୃଦ୍ଧି, ରନ୍ଧାଖାଦ୍ୟର ସରବରାହରେ ବୃଦ୍ଧି, ପାଇଖାନା ନିର୍ମାଣରେ ବୃଦ୍ଧି, ବିଦ୍ୟୁତ୍‌, ପାନୀୟ ଜଳ ଯୋଗାଣରେ ବୃଦ୍ଧି, ରନ୍ଧନ ଗ୍ୟାସ୍‌ ବ୍ୟବହାରରେ ବୃଦ୍ଧି, ଆବାସ ଯୋଜନାରେ ଗୃହ ଯୋଗାଣରେ ବୃଦ୍ଧି ଏବଂ ବ୍ୟାଙ୍କରେ ଆଧାର ଖାତାରେ ବୃଦ୍ଧି ଆଦିକୁ ନିଆଯାଇଛି। ଉପରୋକ୍ତ ସୂଚକାଙ୍କ ଆଧାରରେ ନୀତି ଆୟୋଗ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ସେସବୁ ସରକାରଙ୍କ ଯୋଜନାର ସଫଳତାର ଚିତ୍ର ହୁଏତ ହୋଇପାରେ; ଦାରିଦ୍ର୍ୟ ଦୂରୀକରଣର ସୂଚକ ବୋଲି କୁହାଯାଇ ନ ପାରେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯେଉଁମାନେ ଲାଭାର୍ଥୀ, ସେମାନଙ୍କ ଦାରିଦ୍ର୍ୟ ଦୂର ହୋଇଗଲା ବୋଲି ଯାନ୍ତ୍ରିକ ଭାବେ କହିବା ତ୍ରୁଟିପୂର୍ଣ୍ଣ। ଦାରିଦ୍ର୍ୟ ମାପିବାର ଏଭଳି ପଦ୍ଧତିଟି ଗ୍ରହଣଯୋଗ୍ୟ ନୁହେଁ। କାରଣ ଏଥିରେ କେବଳ ଅନୁମାନ କରି ହିସାବ କରାଯାଉଥିବାରୁ ଏଥିରେ ଦାରିଦ୍ର୍ୟର ପ୍ରକୃତ ଚିତ୍ରଟି ମିଳି ନ ଥାଏ। ସେହି କାରଣରୁ ଦେଶ ବିଦେଶର ଅଧିକାଂଶ ଅର୍ଥନୀତିଜ୍ଞ ଏହି ପଦ୍ଧତିଟିକୁ ନିର୍ଭରଯୋଗ୍ୟ ବୋଲି ଗ୍ରହଣ କରନ୍ତି ନାହିଁ।
ଆମ ଦେଶରେ ଦାରିଦ୍ର୍ୟ ମାପିବା ପାଇଁ କେତେକ ସ୍ଥାପିତ ସୂଚକାଙ୍କ ରହିଛି। ଅତୀତରେ ବିଭିନ୍ନ ସରକାର ତା’ ଆଧାରରେ ହିଁ ଗରିବୀ ଆକଳନ କରିଆସିଛନ୍ତି। ପରିତାପର ବିଷୟ, ନୀତି ଆୟୋଗ ସେସବୁ ସ୍ଥାପିତ ଓ ବାରମ୍ବାର ପରୀକ୍ଷିତ ସୂଚକାଙ୍କଗୁଡ଼ିକର ଆଧାରରେ ଦାରିଦ୍ର୍ୟ ଆକଳନ ନ କରି କେବଳ ସରକାରଙ୍କୁ ସୁହାଇଲା ଭଳି ସୂଚକାଙ୍କଗୁଡ଼ିକୁ ବାଛିଛି। ସରକାରଙ୍କ ବିଭିନ୍ନ ଯୋଜନା ବା ପ୍ରକଳ୍ପର ହିତାଧିକାରୀଙ୍କ ଆଧାରରେ ହିଁ ଦାରିଦ୍ର୍ୟର ଆକଳନ କରାଯାଇଛି। ଏହି ହିସାବରେ ହିଁ ସରକାର ଦେଶର ଯେତେ ଲୋକଙ୍କୁ ମାଗଣାରେ ରାଶନ ଯୋଗାଉଛନ୍ତି, ସେମାନେ କେହି ଆଉ ଭୋକିଲା କି ଦାରିଦ୍ର୍ୟରେ ନାହାନ୍ତି ବୋଲି ଭାବୁଛନ୍ତି। ସେହିପରି ଯେତେଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏବଂ ମାଗଣାରେ ପାଇଖାନା ଯୋଗାଯାଇଛି, ସେମାନେ ଆଉ ଗରିବ ନାହାନ୍ତି ବୋଲି ନୀତି ଆୟୋଗ ନିଷ୍କର୍ଷରେ ପହଞ୍ଚତ୍ଛି। ମୋଟାମୋଟି ଭାବେ କହିଲେ, ସରକାରଙ୍କ ଯୋଜନାଗୁଡ଼ିକ ଯେତିକି ଲୋକଙ୍କ ପାଖରେ ପହଞ୍ଚତ୍ଛି, ସେତିକି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ବୋଲି ଏକ ସରଳୀକୃତ ନିଷ୍କର୍ଷରେ ନୀତି ଆୟୋଗ ପହଞ୍ଚତ୍ଛି। ଦାରିଦ୍ର୍ୟ ଆକଳନର ଏହି ନୂତନ ପଦ୍ଧତି ସହିତ ମଣିଷର ରୋଜଗାର, ଆୟବ୍ୟୟର ସାମର୍ଥ୍ୟ ଆଦିର କୌଣସି ସମ୍ପର୍କ ନାହିଁ। ଗୋଟିଏ ପରିବାରର ସବୁ ସଦସ୍ୟ/ସଦସ୍ୟାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଖର୍ଚ୍ଚ କରିବାକୁ ସେମାନେ ସମର୍ଥ ହୋଇପାରିଛନ୍ତି ନା ନାହିଁ, ତାହା ହିଁ ଦାରିଦ୍ର୍ୟ ମାପିବାର ଅସଲ ମାପକାଠି। ଗୋଟିଏ ପରିବାରର ବ୍ୟୟ ଆଧାରରେ ଯଦି ତଥ୍ୟ ସଂଗ୍ରହ ହେବ, ତା’ହେଲେ ଦାରିଦ୍ର୍ୟର ପ୍ରକୃତ ଚିତ୍ର ସାମ୍‌ନାକୁ ଆସିପାରିବ। କିନ୍ତୁ ନୀତି ଆୟୋଗ ଅତ୍ୟନ୍ତ ସୁନିୟୋଜିତ ଭାବେ ଦାରିଦ୍ର୍ୟ ନିର୍ଦ୍ଧାରଣର ଉକ୍ତ ପଦ୍ଧତି ଓ ତଥ୍ୟ ପରିସଂଖ୍ୟାନକୁ ଆପଣେଇ ନାହାନ୍ତି।
ନୀତି ଆୟୋଗ ଜରିଆରେ କେନ୍ଦ୍ର ସରକାର ଦେଶରେ ଦାରିଦ୍ର୍ୟ ବ୍ୟାପକ ଭାବେ ହ୍ରାସ ପାଇଛି ବୋଲି ଦାବି କଲେ ମଧ୍ୟ ଏ ସଂକ୍ରାନ୍ତରେ ଲଗାତର ପ୍ରକାଶିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟରେ ତା’ର ବିପରୀତ କଥା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମ୍‌ ଦ୍ୱାରା ପ୍ରତିବର୍ଷ ପ୍ରକାଶିତ ଅସମାନତା ରିପୋର୍ଟ ହେଉ କି ବିଶ୍ୱ ଖାଦ୍ୟ ସୂଚକାଙ୍କ ହେଉ, ସବୁଥିରେ ଭାରତର ଅଧିକାଂଶ ଜନତାଙ୍କ ଆର୍ଥିକ ସ୍ଥିତି ନୈରାଶ୍ୟଜନକ ରହିଆସିଛି। ଏଯାଏ ପ୍ରକାଶିତ କୌଣସି ବେସରକାରୀ ରିପୋର୍ଟରେ ଦାରିଦ୍ର୍ୟ ହ୍ରାସ ପାଇବାର ସାମାନ୍ୟତମ ସୂଚନା ଦେଖିବାକୁ ମିଳିନି। ଦେଶର ୨୧ ଜଣ ଅତିଧନୀ ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୭୦%ର ମାଲିକାନା ରହିଥିବା ବେଳେ ତଳର ୫୦% ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ମାତ୍ର ୩%ହିଁ ରହିଛି।
କେବଳ ବେସରକାରୀ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ବିଭିନ୍ନ ରିପୋର୍ଟ ଏହି ତ୍ରୁଟିପୂର୍ଣ୍ଣ ଆକଳନକୁ ଉଜାଗର କରୁଛି। ନିକଟରେ କେନ୍ଦ୍ର ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଜନସାଧାରଣଙ୍କ କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତରେ ସୁପ୍ରିମକୋର୍ଟକୁ ଦେଇଥିବା ସତ୍ୟପାଠରେ ୨୦୧୮ରୁ ୨୦୨୩ ମଧ୍ୟରେ ଦେଶରେ ଖାଦ୍ୟ ଅସୁରକ୍ଷାର ଶିକାର ଲୋକଙ୍କ ସଂଖ୍ୟା ୧୯ କୋଟିରୁ ୩୫ କୋଟିରେ ପହଞ୍ଚତ୍ଥିବା କହିଛନ୍ତି। ପ୍ରଶ୍ନ ଉଠେ, ଯଦି ସରକାର ଦେଶର ମାତ୍ର ୧୫ କୋଟି ଲୋକ ଗରିବ ରହିଛନ୍ତି ବୋଲି କହୁଛନ୍ତି, ତା’ହେଲେ କେଉଁ ଆଧାରରେ ଦେଶର ୮୦ କୋଟି ଲୋକଙ୍କୁ ମାସିକ ମାତ୍ର ୫ କିଲୋ ମାଗଣା ରାଶନ ଯୋଗାଉଛନ୍ତି? ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ୨୦୧୨ରେ ଦେଶରେ ବେକାରି ହାର ସରକାରୀ ଭାବେ ୨.୧% ରହିଥିବା ବେଳେ ମୋଦିଙ୍କ ଶାସନକାଳରେ ଏହା ତିନିରୁ ଚାରିଗୁଣ (୬.୧%-୮.୪%) ବୃଦ୍ଧି ପାଇ ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ ହେବା କ’ଣ ଦର୍ଶାଉଛି? ଏହାବ୍ୟତୀତ ବିଶ୍ୱସ୍ତରରେ ଦାରିଦ୍ର୍ୟ ସୀମାରେଖା ଭାବେ ବିଶ୍ୱବ୍ୟାଙ୍କ୍‌ ଦୈନିକ ୨.୧୫ ଡଲାର ଧାର୍ଯ୍ୟ କରିଛି। ଯଦି ଭାରତରେ ଏହାର ଆନୁପାତିକ ହିସାବ ଦେଖିବା, ମାସିକ ସର୍ବନିମ୍ନ ୯ ହଜାର ଟଙ୍କାରୁ କମ୍‌ ରୋଜଗାରକୁ ଦରିଦ୍ର ବୋଲି ଧରାଯିବ। କିନ୍ତୁ ନିକଟରେ କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ଯେଉଁ ୨୮ କୋଟି ଶ୍ରମିକ ନିଜର ନାଁ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ୯୪% ନିଜର ମାସିକ ଆୟକୁ ଦଶ ହଜାର ଟଙ୍କାରୁ କମ୍‌ ବୋଲି ଦର୍ଶାଇଛନ୍ତି।
ଦେଶରେ ଦାରିଦ୍ର୍ୟର ଆଉ ଏକ କାରଣ ହେଲା, ଶିକ୍ଷା ଓ ସ୍ବାସ୍ଥ୍ୟସେବାରେ ସରକାରଙ୍କ ଖର୍ଚ୍ଚ ହ୍ରାସ ଏବଂ ଲୋକଙ୍କ ପକେଟ ଖର୍ଚ୍ଚରେ ବୃଦ୍ଧି। କେନ୍ଦ୍ର ସରକାର ନିଜ ଶାସନକାଳରେ ଶିକ୍ଷା ଓ ସ୍ବାସ୍ଥ୍ୟସେବାରେ ଅନୁଦାନ ହ୍ରାସ କରିଚାଲିଛନ୍ତି। ୨୦୧୪-୧୫ରେ ଜିଡିପିର ୪% ଶିକ୍ଷା ବାବଦରେ ବିନିଯୋଗ ହେଉଥିବା ବେଳେ ବର୍ତ୍ତମାନ ୨.୯%କୁ ହ୍ରାସ ପାଇଛି। ସେହିପରି ସ୍ବାସ୍ଥ୍ୟସେବାରେ ବିନିଯୋଗ ଜିଡିପିର ୧.୩%କୁ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଦେଶର ଦାରିଦ୍ର୍ୟ ବାର୍ଷିକ ୧୦.୬୬% ହ୍ରାସ ପାଇଛି ବୋଲି ନୀତି ଆୟୋଗର ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ କୁହାଯାଇପାରେ।
ମୋ-୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri