ସୁବର୍ଣ୍ଣରେଖା ବନ୍ୟା ପରେ ଖସୁଛି ଅତଡ଼ା

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା ପରେ ବିଭିନ୍ନ ସ୍ଥାନରେ ନଦୀକୂଳରେ ଅତଡା ଖସିବାରେ ଲାଗିଛି। ଫଳରେ ତଟକୂଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଗାମୀ ଦିନରେ ଏସବୁର ସ୍ଥାୟୀ ପ୍ରତିକାର ନ କଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ଓଡିଶା ପ୍ରବେଶ କରୁଥିବା ସୁବର୍ଣ୍ଣରେଖାର ରାଜନଗର ଓ ଗୋପାଳପୁର ଗ୍ରାମ ନିକଟରୁ କୀର୍ତ୍ତନିଆ ଓ ଆମ୍ବଚୁଆ ପର୍ଯ୍ୟନ୍ତ ନଦୀର ବିଭିନ୍ନ ସ୍ଥାନରେ ଅଳ୍ପ ବହୁତେ ଅତଡା ଖସୁଥିବା ଦେଖିବାକୁ ମିଳିଛି ।ଫଳରେ ବହୁ ଚାଷଜମି ନଦୀରେ ଲୀନ ହେଉଥିବା ବେଳେ କେତେକ ଗାଁଠାରେ ବିପଦ ସୃଷ୍ଟି ହେଉଛି। ପୂର୍ବରୁ ଏକ ନୂଆ ପଦ୍ଧତି ‘ଜିଓ ବେଗ୍‌’ ଜରିଆରେ ଗୁରୁଦାସପୁର ସେତୁ ନିକଟ ନଦୀବନ୍ଧରେ ମରାମତି ହୋଇଥିବା ବେଳେ ଚଳିତବର୍ଷ ବନ୍ୟାରେ ତାର ଅର୍ଦ୍ଧାଧିକ ନଷ୍ଟ ହୋଇଛି। କୁଅଁରପୁର, କୋଟସାହି, ଗୁରୁଦାସପୁର, ନରଣପୁର, ବିରିଶପୁର, ବାଲିକବାର୍ଡ, ଆଉସା, ଗୋବର୍ଦ୍ଧନପୁର, ଭୋଗରାଇଲକ୍‌, ବାରମାଣିଆ, ମନୁନଗର, କାଳିକାପୁର, ଉଲୁଡା-ଖଳାବାଡିଆ, ବିଷ୍ଣୁପୁର, ରସଲପୁର, କୁମ୍ଭିରଗଡି, ଆମ୍ବୁଚୁଆ, ବେଲିଛକ, ଚୋରମରା, ଗଡସାହିବାଲିଆପାଳ, ଚଡନମକନା ଆଦି ବହୁ ସ୍ଥାନରେ ଅତଡା ଖସୁଛି। ଅସ୍ଥାୟୀ ଭାବେ ଅତଡା ରୋକାଯିବାକୁ ଚେଷ୍ଟା କରାଯାଉଥିବା ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂ ଓ ସହକାରୀ ଯନ୍ତ୍ରୀ ଧୀରେନ୍ଦ୍ର ଦାସ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଗୋବରାଖାଳର ଉତ୍ତରପଡା ନିକଟରେ ବ୍ୟାପକ ଅଞ୍ଚଳ ଧୋଇଯାଇଥିବା ସମ୍ପର୍କରେ ଜଳ ନିଷ୍କାସନ (ଡ୍ରେନେଜ୍‌) ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗୋପ ନାଳର ଏକ ପୋଲଠାରେ ବ୍ୟାପକ ଅଞ୍ଚଳ ଦବିଯାଇଥିବାରୁ ସେଠାରେ ବିପଦ ସୃଷ୍ଟି ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ଇରାକ କୁମାର ବେହେରା, କନିଷ୍ଠଯନ୍ତ୍ରୀ ଶରତ କୁମାର ସି, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି ଓ ସରପଞ୍ଚ ପ୍ରତିନିଧି ନରୋତ୍ତମ ସେଠୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।