ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ: ଅଗ୍ନିଶମ ବାହିନୀର ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ…

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗୁରୁବାର ପ୍ରାୟ ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ସୂଚନା ଅନୁଯାୟୀ, ଗଛଟି ରାସ୍ତାର ମଝିରେ ପଡ଼ିଥିବାରୁ ଯାତ୍ରୀବାହୀ ବସ୍‌ ସମେତ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଏ ନେଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ମାତ୍ର ଘଟଣାସ୍ଥଳଟି ଅଗ୍ନିଶମ କେନ୍ଦ୍ରଠାରୁ ପ୍ରାୟ ୩୦ କିଲୋମିଟର ଦୂର ହୋଇଥିବାରୁ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକେ ନିଜେ ଉଦ୍ୟମ ଆରମ୍ଭ କରିଥିଲେ। ସେହି ଅଞ୍ଚଳରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି (JCB) ମେଶିନ ସହାୟତାରେ ଗଛଟିକୁ ରାସ୍ତାରୁ ହଟାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ରାସ୍ତା ସଫା ହେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ପରେ ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୂଜାରୀ, ରଞ୍ଜିତ ସେଠୀ, ଅଭି କିଷାନ ଏବଂ ଫାୟାରମ୍ୟାନ ମଦନ ଶବର, ଚିତ୍ତରଞ୍ଜନ, ଶାନ୍ତନୁ ଦିଗାଲ, ଦିବ୍ୟ ଶାହି ଓ ରଜତ ବରାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉକ୍ତ ରୁଟ୍‌ରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଛି।

Odisha’s No.1 Odia Daily

Share