‘ଯୁଗସ୍ରଷ୍ଟା ଥିଲେ ଫକୀରମୋହନ’

ବାଲେଶ୍ୱର ଅଫିସ, ୧୪।୧ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସ ବିହାର ପରିସରରେ ଗୁରୁବାର ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରବେଶପଥରେ ଥିବା ଫକୀର ମୋହନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ସାରସ୍ବତ ସମାରୋହର ଶୁଭାରମ୍ଭ କରିଥିଲେ। ପରେ ପ୍ରଶାସନିକ ଭବନରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ କୁଳପତି, ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କୋଭିଡ ନିୟମାନୁସାରେ ପ୍ରଶାସନିକ ଭବନ ପ୍ରେକ୍ଷାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କୁଳପତି ତ୍ରିପାଠୀ ସଭାପତିତ୍ୱ କରି ଫକୀରମୋହନଙ୍କୁ ଯୁଗସ୍ରଷ୍ଟା ଭାବେ ଅଭିହିତ କରିବା ସହ ଏହି ପୂଣ୍ୟତିଥିରେ ଆମ ଭାଷା, ଜାତି, ସଂସ୍କୃତି ଓ ସଭ୍ୟତାର ପୁନରୁଦ୍ଧାର ପାଇଁ ଯତ୍ନବାନ ହେବାକୁ ଆହ୍ବାନ ଜଣାଇଥିଲେ। ଡ. ଦେବାଶିଷ ପାତ୍ର ସଭା ପରିଚାଳନା କରି ଫକୀରମୋହନଙ୍କ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଫକୀରମୋହନଙ୍କ ବାଲ୍ୟଜୀବନକୁ ଉପସ୍ଥାପନ କଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଫକୀରମୋହନଙ୍କୁ ଏକ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଭାବେ ମତ ଦେଇଥିଲେ। ପ୍ରଫେସର ଅନୀଲ କୁମାର ମହାପାତ୍ର ନିଜର କବିତା ମାଧ୍ୟମରେ ଫକୀରମୋହନଙ୍କୁ ସ୍ମରଣ କରିଥିଲେ। ବିତ୍ତ ନିୟନ୍ତ୍ରକ ଓ ଭାରପ୍ରାପ୍ତ କୁଳସଚିବ ମାନସ କୁମାର ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପତ୍ରିକା ‘ବ୍ୟାସ ସମ୍ଭାର’ର ଉନ୍ମୋଚିତ ହୋଇଥିଲା।