ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇ ସିଟ୍‌ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତେବେ ଅନିଶ୍ଚିତତା ମଧ୍ୟରେ ପ୍ରାର୍ଥୀମାନେ ରହିଥିବାରୁ ପ୍ରଚାର ମାନ୍ଦା ହୋଇଯାଇଥିଲା। ଭାଜପା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଡକ୍ଟର ମୁରଲୀ ଶର୍ମାଙ୍କ ଉପରେ ପୁଣି ଥରେ ଭରସା ରଖି ପ୍ରାର୍ଥୀ ଘୋଷଣା କରିଛି। ମୁରଲୀ ପୂର୍ବରୁ ନିର୍ବାଚନ ଲଢ଼ିଥିବା ବେଳେ ୨୦୧୯ରେ ଦଳର ପ୍ରାର୍ଥୀ ହୋଇ କଡ଼ା ମୁକାବିଲା କରିଥିଲେ। ସେ ଜଣେ ଟାଣୁଆ ଭାଜପା ନେତା ହୋଇଥିବା ବେଳେ ସଂଘ ପରିବାରର ସଦସ୍ୟ ଥିବାରୁ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଆଜି ଘୋଷଣା ପରେ ଭାଜପା ଶିବିରରେ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଏଠାରେ ବିଜେଡିର ଜଣେ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ କଂଗ୍ରେସ ଜଣେ ପୂର୍ବତନ ଏମ୍‌ପି ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରାର୍ଥୀ କରିଥିବାରୁ ତ୍ରିମୁଖୀ ଲଢ଼େଇ ହେବ।

ସେହିପରି ଭାଜପା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଡାକ୍ତର ଫକୀରମୋହନ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କିଛି ମାସ ତଳେ ସେ ଭାଜପାରେ ଯୋଗଦେଇ ଗାଁ ଗାଁ ବୁଲି ଲୋକଙ୍କ ସେବା କରିବା ସହ ନିଜର ସମର୍ଥନ ସଂଗ୍ରହ କରିଆସୁଥିଲେ। ଡାକ୍ତର ନାୟକ ପୂର୍ବରୁ କଂଗ୍ରେସ ଟିକେଟ୍‌ରୁ ଲୋକ ସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ଏହି ସିଟ୍‌ ଗତଥର ବିଜେଡି ହାତରେ ରହିଥିଲା। ବିଜେଡି ଛାଡ଼ି ବିଧାୟକ ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ଭାଜପାରେ ଯୋଗ ଦେବା ଫଳରେ କିଏ ଟିକେଟ୍‌ ପାଇବ ସେନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏବେ ଏହି ସିଟ୍‌ରେ ବିଜେଡି ଜଣେ ଟାଣୁଆ ତଥା ଜିଲା ସଂଗଠନ ମୁଖ୍ୟ ପୂର୍ବତନ ଏମ୍‌ପି ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜଣେ ନବାଗତ ତଥା ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକଙ୍କୁ ପୁଅ ନିର୍ମଳ ନାୟକଙ୍କୁ ପ୍ରାର୍ଥୀ କରିଛି। ଫଳରେ ଏଠାରେ ତ୍ରିମୁଖୀ ଲଢ଼େଇ ହେବା ଯଥେଷ୍ଟ ସମ୍ଭାବନା ରହିଛି। ସବୁ ଦଳ ଜିଲାର ୬ ବିଧାନସଭା ଓ କେନ୍ଦୁଝର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଅଦ୍ୟାବଧି ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳ ପ୍ରଚାରରେ ପଛେଇ ଯାଇଛି।