ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌ ଖୋଲାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ମେସେଜ୍‌ ଆସୁଥିବା ଘଟଣା ଦୃଷ୍ଟିକୁ ଆସିଛି। ଏ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା।
ସୂଚନାଯୋଗ୍ୟ, ଗତ ୫ ତାରିଖ ସନ୍ଧ୍ୟା ୫ଟା ୧୦ ରେ ହିଞ୍ଜିଳି ତହସିଲଦାର ପରିଡାଙ୍କୁ ଏକ ହ୍ବାଟ୍ସଆପ୍‌ ନମ୍ବରରେ ମେସେଜ୍‌ ଆସିଥିଲା। ଉକ୍ତ ନମ୍ବର ପ୍ରୋଫାଇଲରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଫଟୋ ଥିଲା। ଉକ୍ତ ନମ୍ବରରୁ ତହସିଲଦାରଙ୍କୁ ପ୍ରଥମ ମେସେଜ୍‌ ଆସି ସେଥିରେ ହାଲୋ କୁମାର ହାଓ ଆର ୟୁ ବୋଲି ପଚରା ଯାଇଥିଲା। ସନ୍ଧ୍ୟା ୫ଟା ୪୯ରେ ଉକ୍ତ ମେସେଜ୍‌ ଦେଖି ଏହା ଜିଲାପାଳଙ୍କ ହ୍ବାଟ୍ସଆପ୍‌ ନମ୍ବର ଭାବି ଉତ୍ତର ରଖିଥିଲେ। ପୁଣି ୫ଟା ୫୧ରେ ସେହି ନମ୍ବରରୁ ହୋୟାର ଆର ୟୁ ଆଟ ଦ ମୁମେଣ୍ଟ ବୋଲି ମେସେଜ୍‌ ଆସିଥିଲା। ଏହି ସମୟରେ ତହସିଲଦାର ଉତ୍ତର ରଖିଥିଲେ। ୫ ମିନିଟ୍‌ ପରେ ଅର୍ଥାତ୍‌ ୫ଟା ୫୬ରେ ସେହି ନମ୍ବରରୁ ଆଉ ଏକ ମେସେଜ୍‌ ଆସିଥିଲା। ମୁଁ ଫୋନ୍‌ କଲ୍‌ ମିଟିଂରେ ବ୍ୟସ୍ତ ରହିଛି ତେଣୁ ମୋତେ କିଛି ସହାୟତା କର। ଏହାସହ ଏକ ମିସ୍‌ ଭଏସ୍‌ କଲ୍‌ ଉକ୍ତ ନମ୍ବରରୁ ଆସିଥିଲା। କିଛି ସମୟ ପରେ ଅର୍ଥାତ ୬ଟା ୬ ରେ ପୁଣି ହାଲୋ ମେସେଜ୍‌ ଆସିଥିଲା। ମାତ୍ର କିଛି ସମୟ ମଧ୍ୟରେ ଏତେଗୁଡାଏ ମେସେଜ୍‌ ଦେଖି ତହସିଲଦାର ଜିଲାପାଳଙ୍କ ସହ ଯୋଗାଯୋଗ କରିଥିଲେ। ଜିଲାପାଳଙ୍କ ସହ କଥାବର୍ତ୍ତା ହେବା ପରେ ଏହା ଫେକ୍‌ ହ୍ବାଟ୍ସଆପ୍‌ ମେସେଜ୍‌ ବୋଲି ଜାଣି ପାରିଥିଲେ। ଉକ୍ତ ନମ୍ବରକୁ ଥାନା ଅଧିକାରୀ ଟ୍ରାକିଂ କରିବା ବେଳେ ଏହା ପଞ୍ଜାବର ବୋଲି ଜଣାପଡ଼ିଥିଲା।