ନକଲି ଭୋଟ ଦେଉଥିବା ୬ଜଣଙ୍କୁ ଗିରଫ କଲା ପୋଲିସ: ଏଥିରେ ୪ମହିଳା ସାମିଲ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୯ଟି ଜିଲାର ୫୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି। ଏହିକ୍ରମରେ ରାମପୁର ଜିଲାରେ ମଧ୍ୟ ମତଦାନ ହୋଇଥିଲା। ତେବେ ମତଦାନ ସମୟରେ ରାମପୁର ଜିଲାରେ ନକଲି ଭୋଟ ଦେବାକୁ ଚେଷ୍ଟା କରୁଥିବା ୬ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୪ଜଣ ମହିଳା ମଧ୍ୟ ସାମିଲ ଥିବା ସୂଚନା ରହିଛି। ଏନେଇ ଖବର ପାଇବା ପରେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ନକଲି ଭୋଟ ଅଭିଯୋଗରେ ପୋଲିସ ମହିଳାମାନଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ୨ଜଣ ମହିଳା ଜାଲ ଭୋଟ ଦେବା ପାଇଁ ରଜା ଡିଗ୍ରୀ କଲେଜକୁ ପହଞ୍ଚିଥିଲେ ବୋଲି ଜିଲାଧିକାରୀ ରବିନ୍ଦ୍ର କୁମାର କହିଛନ୍ତି। ଏହି ମହିଳାମାନଙ୍କର ରାନୀ ଏବଂ ମୁସ୍କାନଙ୍କ ନାମରେ ୨ଟି ଭୋଟର ପରିଚୟ ପତ୍ର ରହିଥିଲା। ରାଣୀଙ୍କ ନାମରେ ଏକ ଭୋଟର ସ୍ଲିପ ମଧ୍ୟ ଥିଲା। ସେ ଅନ୍ୟ ଏକ ବୁଥରେ ଭୋଟ ଦେଇଥିଲେ ଏବଂ ନିଜର ଆଇକାର୍ଡ ଦେଖାଇ ଏହା ତାଙ୍କ ଝିଅର ବୋଲି କହି ଆଉଥରେ ତାଙ୍କ ନାଁରେ ଭୋଟ ଦେବାକୁ ପ୍ରଚେଷ୍ଟା କରିଥିଲେ। ସନ୍ଦେହ ହେବାରୁ ପ୍ରିଜାଇଡିଂ ଅଫିସର ତାଙ୍କୁ ପଚାରାଉଚରା କରି ପୋଲିସର ଜିମା ଦେଇଥିଲେ। ଅନ୍ୟପଟେ ଗିରଫ ହୋଇଥିବା ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଜେଲ୍‌ ପଠାଯିବ ବୋଲି ଜିଲାଧିକାରୀ ସୂଚନା ଦେଇଛନ୍ତି। ଏଥିସହ ନକଲି ଭୋଟ ନ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share