ନକଲି ମହିଳା ପୋଲିସ ଅଫିସରଙ୍କ ଦାଦାଗିରି : ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ଆଦାୟ କରୁଥିଲେ ଜରିମାନା

ଭୋପାଳ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାସ୍କ୍‌ ନ ପିନ୍ଧିଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ସୁଯୋଗ ନେଇ କେତେକ ଅପରାଧୀ ନକଲି ପୋଲିସ ସାଜି ଲୋକଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ରେ ଓ୍ବାରେ ଘଟିଛି । ଏଠାରେ ଦୁଇ ନାବାଳିକା ମହିଳା ପୋଲିସ ଅଫିସର ସାଜି ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ଖବର ପାଇ ରାୟପୁର କଞ୍ଚୁଲିୟାନ୍‌ ଥାନା ପୋଲିସ ସେମାନଙ୍କର ପିଛା କରି ସୀତାପୁରଠାରେ ନକଲି ମହିଳା ପୋଲିସ ଅଫିସରଙ୍କ ସମେତ ତାଙ୍କର ଦୁଇ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛନ୍ତି। ଗିରଫ ହେଉଥିବା ପୁରୁଷ ସହଯୋଗୀମାନେ ହେଉଛନ୍ତି ଅଶୋକ ପଟେଲ ଏବଂ ନାଗେନ୍ଦ୍ର ଯାଦବ। ଅଶୋକ ନିଜ ନାବାଳିକା ଝିଅ ଏବଂ ଅନ୍ୟଜଣେ ପରିଚିତ ବ୍ୟକ୍ତିଙ୍କ ଝିଅଙ୍କୁ ପୋଲିସ ଅଫିସର ପୋଷାକ ପିନ୍ଧାଇ ଏଭଳି କରୁଥିବା କୁହାଯାଉଛି। ଅଭିଯୁକ୍ତଙ୍କଠାରୁ ଦୁଇ ହଳ ପୋଲିସ ପୋଷାକ ଓ ୨ ହଜାର ଟଙ୍କା ଜବତ ହୋଇଛି। ଦୁଇ ନକଲି ମହିଳା ଅଫିସରଙ୍କ ପୋଷାକରେ ବ୍ୟାଚ୍‌ ନମ୍ବର ୫୮୫ ଏବଂ ୫୮୮ ଲାଗିଥିଲା ବୋଲି କଞ୍ଚୁଲିୟାନ୍‌ ଥାନା ଅଧିକାରୀ ଏ.ପି. ସିଂ ସୂଚନା ଦେଇଛନ୍ତି।

Share