ବାହାର ରାଜ୍ୟରୁ ଆସୁଛି ନକଲି ଔଷଧ: ୧୨ ବିତରକଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜ୍ୟରେ ନକଲି ମେଡିସିନ କାରବାର ବଢ଼ି ଚାଲିଛି। ବାହାର ରାଜ୍ୟରୁ ନକଲି ଔଷଧ ଆସୁଛି। ଇତି ମଧ୍ୟରେ କଟକରେ ୬ଟି, ଝାରସୁଗୁଡାରେ ୨ ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ ଓ ସମ୍ବଲପୁରରେ ଗୋଟିଏ ଲେଖାଏ ସ୍ଥାନରୁ ନକଲି ଔଷଧ ଧରାଯାଇ ଆଇନଗତ ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରେ କଟକର ଭି.ଆର୍‌.ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜେସ୍‌, କ୍ୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସ ଏବଂ ଶ୍ରୀ ଏମ୍‌.ଏଚ୍‌ ଆଦି ଗୋଦାମରୁ ନକଲି ଔଷଧ ମିଳିଛି। ସେହିପରି ଝାରସୁଗୁଡ଼ା ଜିଲାର ଶ୍ୟାମ ମେଡିକାଲ ଓ ଅମିତ୍‌ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡ଼ର ଅଶୋକ ମେଡିକାଲ ହଲ୍‌, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡ଼ାର ସାଇ ଟ୍ରେଡର୍ସ ଆଦି ଗୋଦାମରୁ ଚଢ଼ାଉ କରାଯାଇ ନକଲି ଔଷଧ ଜବତ କରାଯାଇଛି। ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୋଧରେ ଡ୍ରଗ୍ସ ନିୟନ୍ତ୍ରଣ ଆଇନ୍‌ ଅନୁସାରେ ମାମଲା ରୁଜୁ କରାଯାଇଛି। ଦୋକାନଗୁଡ଼ିକରେ ଥିବା ପ୍ରତି ଔଷଧ ଷ୍ଟ୍ରିପ୍‌କୁ ଯାଞ୍ଚ କରାଯାଉଛି। ଲଗାତାର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି।