ଧରାପଡ଼ିଲେ ନକଲି ଡାକ୍ତର

କାମାକ୍ଷାନଗର,୭।୧୧(ସୁଧୀର କୁମାର ପରିଡା): ବିନା ଡାକ୍ତରୀ ପାଠ ପଢାରେ କରୁଥିଲେ ଚିକିତ୍ସା। ଦୀର୍ଘବର୍ଷ ଧରି ସ୍ବାସ୍ଥ୍ୟସେବା ନାଁରେ ନିରୀହ ଲୋକଙ୍କୁ କରୁଥିଲେ ଶୋଷଣ। ଏପରି ଅଭିଯୋଗ ଆସିବା ପରେ କଙ୍କଡାହାଡ଼ ପୋଲିସ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ରାକେଶ ବିଶ୍ୱାସ। ପୋଲିସ କହିଛି, ଦୀର୍ଘବର୍ଷ ହେବ ରାକେଶ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ କେରଜୁଳି ପଞ୍ଚାୟତ କାର୍ଯ୍ୟାଳୟ ପାଖରେ କ୍ଲିନିକ୍‌ କରି ରୋଗୀ ସେବା କରୁଥିଲେ। ଏହି ଅଭିଯୋଗ ଆସିବା ପରେ କଙ୍କଡାହାଡ଼ ଥାନା ଅଧିକାରୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ରବିବାର କ୍ଲିନିକ୍‌ରେ ଚଢାଉ କରି ରାକେଶଙ୍କୁ ଅଟକ ରଖିଥିଲେ। ସୋମବାର କଙ୍କଡାହାଡ଼ ଥାନାରେ ଟୁକୁନ ବିଶ୍ୱାଳ, ରଞ୍ଜିତ କୁମାର ସାହୁ ରାକେଶଙ୍କ ନାଁରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ କରି ରାକେଶଙ୍କୁ ଗିରଫ କରିଛି। ଏଥିସହିତ ତାଙ୍କ କ୍ଲିନିକ୍‌ରୁ ଔଷଧ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ସେହିପରି ରୋଡ଼ଙ୍ଗ ଗ୍ରାମରେ ପଶ୍ଚିମବଙ୍ଗ ରାଜ୍ୟର ଅନ୍ୟ ଜଣେ ନକଲି ଡାକ୍ତର ସୋମନ ସରକାର ସ୍ବାସ୍ଥ୍ୟସେବା କରୁଥିବା ଖବରପାଇ ପୋଲଚିସ କ୍ଲିନିକ୍‌ରେ ଚଢାଉ କରିଥିଲା। ହେଲେ ସୋମନ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି, ଅଭିଯୋଗ ଆଧାରରେ ନକଲି ଡାକ୍ତର ରାକେଶଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ସୋମନ ସରକାର ଫେରାର ହୋଇଯାଇଛନ୍ତି। ଜିଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି, ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଯେଉଁଠି ଏଭଳି ନକଲି ଡାକ୍ତର ଥିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିଲୀପ କୁମାର ବିଶ୍ବାଳ କହିଛନ୍ତି, ଲୋକମାନଙ୍କୁ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଯୋଜନା ଉପରେ ସଚେତନ କରାଯାଉଛି। କିନ୍ତୁ ବେଳେବେଳେ ଲୋକମାନେ ଏଭଳିଆ ଠକ ଲୋକଙ୍କ ଶିକାର ହେଉଛନ୍ତି।