ତାଳଚେରରେ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ

ତାଳଚେର, ୭।୫(ଡି.ଏନ୍‌.ଏ.): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା କୋଲ୍ଟଡ୍ରିଙ୍କ୍‌ସ୍‌। ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି ମୃଦୁପାନୀୟ। ଦୀର୍ଘଦିନ ହେଲା ଏହି କାରବାର ଚାଲିଥିବାବେଳେ କାହାରି ନିକଟରେ ନ ଥିଲା ସାମାନ୍ୟ ସୁରାକ୍‌। ଲୋକେ ଅସଲି ଭାବି କିଣୁଥିଲେ ଏବଂ ପିଉଥିଲେ ମଧ୍ୟ। ଏଭଳି ଏକ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ ଠାବ ହୋଇଛି ଅନୁଗୋଳ ଜିଲା ତାଳଚେରରୁ। ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚଢ଼ାଉ ପରେ ଏହାର ଗୁମର ଖୋଲିଛି।
ତାଳଚେର ସହରର ମୁଖ୍ୟ ବଜାର ହାଟତୋଟା କାଳୀମନ୍ଦିର ନିକଟରେ ଚାଲିଥିଲା ଏହି ନକଲି ମୃଦୁପାନୀୟ କମ୍ପାନୀ। ଏହାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜ୍ୟୋତିରଞ୍ଜନ ବିଶ୍ୱାଳ। ଦୀର୍ଘଦିନ ହେଲା ସେ ଏକ ଘରେ ନକଲି ମୃଦୁପାନୀୟ ପ୍ରସ୍ତୁତ କରୁଥିଲେ। ବିଭିନ୍ନ କମ୍ପାନୀର ଲୋଗୋ ଲଗାଇ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ତାଙ୍କ ବ୍ୟବସାୟର ଚେର ଆଖପାଖ ଗ୍ରାମାଞ୍ଚଳକୁ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ସୂଚନା ପାଇ ପୋଲିସ ସହାୟତାରେ ଅତର୍କିତ ଚଢ଼ାଉ କରିଥିଲା।
ତଦନ୍ତରୁ ଜଣାପଡ଼ିଛି, କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ ଚଳାଇବା ଲାଗି ଜ୍ୟୋତିରଞ୍ଜନଙ୍କ ନିକଟରେ କୌଣସି ଲାଇସେନ୍ସ ନାହିଁ। ଉକ୍ତ ଘରୁ ବିପୁଳ ପରିମାଣର କଞ୍ଚାମାଲ, ଠିପି, ପ୍ଲାଷ୍ଟିକ୍‌ ବୋତଲ, ସିଲ୍‌ ମେଶିନ ଆଦି ଜବତ କରାଯାଇଛି। ମୃଦୁ ପାନୀୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଚଢ଼ାଉ ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ତାଳଚେର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।