ଜିଲାପାଳଙ୍କ ନାଁରେ ଜାଲ୍‌ ଆକାଉଣ୍ଟ

କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ ମିଡିଆରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ଆଦାୟ ଓ ତଥ୍ୟ ଲୁଟ୍‌ କରିବା ପାଇଁ ସେମାନେ ପଛାଉନାହାନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାଁରେ ହ୍ବାଟ୍ସଆପ୍‌ରେ ଏକ ଜାଲ୍‌ ଆକାଉଣ୍ଟ ଖୋଲା ଯାଇଥିବା ରବିବାର ଅଭିଯୋଗ ହୋଇଛି। ୭୬୯୬୯୧୮୧୫୧ ନମ୍ବର ଜରିଆରେ ଖୋଲାଯାଇଥିବା ଉକ୍ତ ଆକାଉଣ୍ଟରେ ଜିଲାପାଳଙ୍କ ଫଟୋ ଲଗାଯାଇଛି। ଏହି ଆକାଉଣ୍ଟ ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। ଏଥିରେ ଅନ୍‌ଲାଇନ୍‌ ଶପିଂ ଆପ୍‌ର ମେସେଜ ଲୋକଙ୍କ ପାଖକୁ ପଠାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଆକର୍ଷଣୀୟ ପୁରସ୍କାର ମିଳିବ ଏବଂ ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ଏହି ଅଫର ଉପଲବ୍ଧ ରହିଛି। ଯଥାଶୀଘ୍ର ସାମିଗ୍ରୀ କିଣିବା ପାଇଁ ମଧ୍ୟ ଲେଖାଯାଇଛି। ଏ ନେଇ ଜିଲାପାଳ ଚୟନୀ କଟକ ସାଇବର ଥାନାରେ ଅଭିଯୋଗ କରିବା ସହ ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସ କମିଶନର ଓ ଡିସିପିଙ୍କୁ ଜଣାଇଛନ୍ତି। ଏଥିସହ ଉକ୍ତ ହ୍ବାଟ୍ସଆପ୍‌ ନମ୍ବରରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନ କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଜିଲାପାଳଙ୍କ ଅଭିଯୋଗ ପରେ ଉକ୍ତ ନମ୍ବରକୁ ଆଧାରକରି ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ କହିଛନ୍ତି।