Categories: ଖେଳ

ଭାରତକୁ ‘ଫେୟାର ପ୍ଲେ’ ପୁରସ୍କାର

ଢାକା, ୨୯ା୩: ଏଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଭାରତ ୦-୨ ଗୋଲରେ ଶକ୍ତିଶାଳୀ ରୁଷିଆ ନିକଟରୁ ହାରି ଯାଇଛି। ରୁଷିଆ ପକ୍ଷରୁ ଭାସିଲିସା ଆଭଲିଏଙ୍କୋ ୧୦ ଓ ଡାରିଆ କୋଟଲୋଭା ପେନ୍‌ ୧୩ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ଏହାପରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା। ରୁଷିଆ ୪ ମ୍ୟାଚରୁ ୧୨ ପଏଣ୍ଟ ସହିତ ଚାମ୍ପିୟନ ହୋଇଥିବାବେଳେ ଭାରତ ୬ ପଏଣ୍ଟରେ ରହି ତୃତୀୟ ସ୍ଥାନ ଅଧିକାର କରିଛି। ବାଂଲାଦେଶ ୭ ପଏଣ୍ଟ ସହିତ ତୃତୀୟ ସ୍ଥାନ ପାଇଛି। ଭାରତର ଶିଲ୍‌ଜି ଶାଜି ୮ ଗୋଲ ଦେଇ ଟପ୍‌ ସ୍କୋରର ହୋଇଛନ୍ତି। ସେହିପରି ଶୃଙ୍ଖଳିତ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଫେୟାରପ୍ଲେ ପୁରସ୍କାର ମିଳିଛି। ନେପାଳ ବିପକ୍ଷରେ ୪-୧ ଗୋଲରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତ ନିଜର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶଠାରୁ ୦-୧ ଗୋଲରେ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚରେ ଭୁଟାନକୁ ୯-୦ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ଟୁର୍ନାମେଣ୍ଟ ପାଇଁ ପ୍ରିୟା ପି. ଭାଲାପିଲ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫୁଟବଲ ତାରକା ତଥା ଜାତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ସହକାରୀ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ।

Share