Categories: ଖେଳ

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର ବର୍ଷା କଲେ। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇଲ ଅଲି ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଗୁ କେକେଆର ଆଗରେ ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ସିଏସ୍‌କେ।

ରୁତୁରାଜ ଗାଏକ୍ୱାଡ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି ୧୨ ଓଭରରେ ଯୋଡ଼ିଥିଲେ ୧୧୫ ରନ୍‌। ଏପର୍ଯ୍ୟନ୍ତ ଆଇପିଏଲରେ ସଂଘର୍ଷ କରୁଥିବା ଗାଏକ୍ୱାଡ ଖେଳିଥିଲେ ୬୪ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଅନ୍ୟ ପଟେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ଡୁ’ପ୍ଲେସି। ସେ ୬୦ ବଲରେ ୯ ଚୌକା ଓ ୪ ଛକା ବଳରେ ୯୫ ରନ୍‌ର ଅପରାଜିତ ରହିିଥିଲେ। ତାଙ୍କ ବାଦ୍‌ ୨୫ (୨ ଲେଖାଏ ଛକା ଓ ଚୌକା) ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ମୋଇନ ଅଲି। ଉପର କ୍ରମରେ ଆସିଥିବା ଅଧିନାୟକ ଧୋନୀ (୧୭)ଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବହୁ ପ୍ରତୀକ୍ଷିତ ଛକା। ଇନିଂସର ଅନ୍ତିମ ବଲରେ ଛକା ମାରିଥିଲେ ରବୀନ୍ଦ୍ର ଜାଡେଜା। ଫଳରେ ଚେନ୍ନାଇ ୨୦ ଓଭରରେ ୩ ଉଇକେଟ ୨୨୦ ରନ୍‌ କରିଛି।

Share