କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା: ସବୁ ଗୁମର ଖୋଲି ଦେଲେ ଫାଫ ଡୁ ପ୍ଲେସିସ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଷ୍ଟାର୍‌ ବିରାଟ କୋହଲିଙ୍କ ସହ ବନ୍ଧୁତା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବେଶ ମହଙ୍ଗା ପଡ଼ିଛି। ଏହାର କାରଣ ହେଉଛି ଦାମୀ ଘଣ୍ଟା କିଣିବାର ନିଶା। ବିରାଟଙ୍କ ପ୍ରଭାବରେ ସେ ଦାମୀ ଘଣ୍ଟା ପ୍ରତି ଆକର୍ଷିତ ହୋଇପଡ଼ିଥିବା ଖୋଲାଖୋଲି ସ୍ବୀକାର କରିଛନ୍ତି। ଏପରିକି ଏହି ବନ୍ଧୁତାକୁ ନିଜ ଜୀବନର ସବୁଠୁ ମହଙ୍ଗା ସମ୍ପର୍କ ବୋଲି କହିଛନ୍ତି ଫାଫ।

ଏକ ସାକ୍ଷାତକାରରେ ଫାଫ ଡୁ ପ୍ଲେସିସ କହିଛନ୍ତି, ବିରାଟ କୋହଲି ତାଙ୍କୁ ଦାମୀ ଘଣ୍ଟା ଦୁନିଆ ସହ ପରିଚିତ କରାଇଥିଲେ। ଏପରି ଅନେକ ଘଣ୍ଟା କିଣିବାକୁ ସେ ତାଙ୍କୁ ପ୍ରେରିତ କରିଥିଲେ, ଯାହା କିଣିବା କଥା ସେ କେବେ ଚିନ୍ତା ମଧ୍ୟ କରି ନ ଥିଲେ। ମୁଁ ତାଙ୍କୁ ଏହି କଥା କହିଛି ଏବଂ ସର୍ବସାଧାରଣରେ ମଧ୍ୟ ସ୍ବୀକାର କରିଛି। ମୋ ଜୀବନର ସବୁଠୁ ମହଙ୍ଗା ସମ୍ପର୍କ ହେଉଛି ତାଙ୍କ ସହ। କାରଣ ସେ ମୋତେ ଏପରି ଘଣ୍ଟା କିଣିବାକୁ ପ୍ରବର୍ତ୍ତାଇଛନ୍ତି, ଯାହା ମୁଁ କେବେ ବି କିଣିବା କଥା ଭାବି ନ ଥିଲି।

ସେ ଆହୁରି କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ସେ ଜଣେ ବଡ଼ ଘଣ୍ଟା ପ୍ରେମୀ ହୋଇଯାଇଛନ୍ତି। ଏବେ ଲୋକେ ତାଙ୍କୁ ପଚାରୁଛନ୍ତି ଯେ ଗୋଟିଏ ଘଣ୍ଟା ପାଇଁ କେହି ଏତେ ଟଙ୍କା କିପରି ଖର୍ଚ୍ଚ କରିପାରେ?

୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଫାଫ ଡୁ ପ୍ଲେସିସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଅଧିନାୟକ ଥିଲେ। ଏହି ସମୟରେ ବିରାଟ କୋହଲିଙ୍କ ସହ ତାଙ୍କର ବନ୍ଧୁତା ଆହୁରି ମଜଭୁତ ହୋଇଥିଲା। ବିରାଟ କୋହଲିଙ୍କ ଲୋକପ୍ରିୟତା ଏବଂ ଆରସିବି ପ୍ରଶଂସକଙ୍କ ସହ ତାଙ୍କର ଗଭୀର ସମ୍ପର୍କକୁ ଦେଖି ତାଙ୍କ ସ୍ଥାନରେ ଅଧିନାୟକ ହେବା ଫାଫଙ୍କୂ ପାଇଁ ସହଜ ନଥିଲା। କିନ୍ତୁ ବିରାଟ ତାଙ୍କୁ ପ୍ରଥମରୁ ହିଁ ପୂର୍ଣ୍ଣ ସମର୍ଥନ ଦେଇଥିଲେ।

ଫାଫ କହିଛନ୍ତି, ମୋ ପ୍ରତି ସବୁବେଳେ ସମ୍ମାନ ଥିଲା। କିନ୍ତୁ ଅଧିନାୟକ ହେବା ପରେ ମୁଁ ଅନୁଭବ କରିଥିଲି ଯେ, ବିରାଟ ମୋତେ ତାଙ୍କ ସ୍ଥାନ ନେବା ପାଇଁ ସ୍ବୀକାର କରିଛନ୍ତି। ଆରସିବିର ଅଧିନାୟକ ଭାବେ ଫାଫଙ୍କ ଉପରେ ବହୁତ ଚାପ ରହୁଥିଲା। ଦଳ ଗୋଟିଏ କିମ୍ବା ଦୁଇଟି ମ୍ୟାଚ ହାରିଲେ ବେଙ୍ଗାଲୁରୁଠାରୁ ଆରମ୍ଭ କରି ସାରା ଭାରତର ପ୍ରଶଂସକ ବିରାଟ କୋହଲିଙ୍କୁ ପୁଣି ଅଧିନାୟକ କରିବାକୁ ଦାବି କରୁଥିଲେ। ପ୍ରଶଂସକମାନେ ତାଙ୍କୁ ପସନ୍ଦ କରୁ ନ ଥିଲେ ବୋଲି ଏପରି ଦାବି କରୁ ନ ଥିଲେ। ବରଂ ସେମାନେ ବିରାଟଙ୍କୁ ଅଧିନାୟକ ଭାବେ ଦେଖିବାକୁ ଚାହୁଁଥିଲେ। ଦଳ ଯଦି ମ୍ୟାଚ ଜିତିପାରୁ ନ ଥିଲା, ତେବେ ବିରାଟଙ୍କୁ ପୁଣି ଅଧିନାୟକ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଉଥିଲା।

ଫାଫ କହିଛନ୍ତି, ଯଦି ତାଙ୍କୁ ବିରାଟଙ୍କ ସମର୍ଥନ ମିଳି ନ ଥାନ୍ତା, ତେବେ ଆରସିବିର ଏହି ତିନି ବର୍ଷର ଅଧିନାୟକତ୍ୱ ତାଙ୍କ ପାଇଁ ଆହୁରି କଷ୍ଟକର ହୋଇଥାନ୍ତା। ପୂର୍ବରୁ ବିରାଟ ଭାରତ ଓ ଆରସିବିର ଅଧିନାୟକ ଥିବା ସମୟରେ ଫାଫ ତାଙ୍କ ବିପକ୍ଷରେ ଖେଳୁଥିଲେ। କିନ୍ତୁ ପରେ ଫାଫ ଅଧିନାୟକ ହେବା ଏବଂ ବିରାଟ ତାଙ୍କ ନେତୃତ୍ୱରେ ଖେଳିବା ଦ୍ୱାରା ଉଭୟଙ୍କ ସମ୍ପର୍କ ଏକ ନୂଆ ରୂପ ନେଇଥିଲା।

 

Dharitri – Odisha’s No.1 Odia Daily

 

Share