ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍‌

ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ ମା’ଙ୍କ ପାଖକୁ ଫେରି ପାରିଛନ୍ତି। ଦୁହେଁ ସୋମବାର ଟେକ୍ସାସଠାରେ ଏକତ୍ରିତ ହୋଇଥିଲେ। ୧୯ ବର୍ଷୀୟା ଜ୍ୟାକଲିନ ଚଳିତ ମାସରେ ଫେସବୁକ୍‌ ଜରିଆରେ ତାଙ୍କ ମା’ ଏଞ୍ଜେଲିକା ଭେନସେସ୍‌ ସାଲଗାଡୋଙ୍କୁ ଯୋଗାଯୋଗ କରି ସେ ମେକ୍ସିକୋରେ ରହୁଥିବା କହିଥିଲେ।

ଏ ପର୍ଯ୍ୟନ୍ତ ଜ୍ୟାକଲିନଙ୍କ ଅପହରଣ ମାମଲାକୁ କ୍ଲେରମେଣ୍ଟ ପୋଲିସ ବିଭାଗ (ସିପିଡି) କୋଲ୍ଡ କେସ ବୋଲି ଧରି ନେଇଥିଲା। ଗତ ୨ ତାରିଖରେ ଭେନସେସ୍‌ ସିପିଡିକୁ ଜଣାଇଥିଲେ ଯେ, ଫେସବୁକ୍‌ରେ ଜଣେ ଯୁବତୀ ତାଙ୍କ ଅପହୃତା ଝିଅ ବୋଲି ଦାବି କରୁଛନ୍ତି। ତାଙ୍କୁ ଆମେରିକାର ଲରେଡୋ ଟେକ୍ସାସଠାରେ ୧୦ ତାରିଖରେ ଦେଖା କରିବାକୁ ଡାକିଥିଲେ। ଏହାପରେ ଫ୍ଲୋରିଡା ଓ ଟେକ୍ସାସର ପୋଲିସ, ଅନୁସନ୍ଧାନକାରୀ ଦଳ ହର୍ନ୍ନାଡେଜଙ୍କ ପରିଚୟ ଯାଞ୍ଚ କରିଥିଲେ। କିଛି ସମୟ ପରେ ସେ ତାଙ୍କ ଝିଅ ବୋଲି ପ୍ରମାଣିତ ହୋଇଥିଲା।

Share