ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗଁାକୁ ଯିବା ପାଇଁ ସବୁଦିନିଆ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ପଡ଼ାରୁ ଭଇଷାଦାଦର ଏବଂ ଅନ୍ୟ ରାସ୍ତା ଦେଇ ପଣ୍ଡରିପାଣି ଓ ଚୂଳାଭାଟ ଗଁାକୁ ଗଲେ ଗୋଡ଼ାଘାଟ ନଦୀ ପଡିଥାଏ। ଖରା ୬ ମାସ ଲୋକେ ସୁବିଧାରେ ଯାତାୟାତ କରୁଥିବା ବେଳେ ଅନ୍ୟ ୬ ମାସ ହଇରାଣ ହୁଅନ୍ତି। ପାହାଡିଆ ନଦୀ ହୋଇଥିବାରୁ ଅଳ୍ପବର୍ଷା ହେଲେ ମଧ୍ୟ ନଦୀ କୂଳ ଖାଇଥାଏ। ସେହି ରାସ୍ତା ଦେଇ ସ୍କୁଲ ପିଲା ପାଠ ପଢି ଯାଉଥିବା ବେଳେ ଗଁା ଲୋକେ ପଞ୍ଚାୟତକୁ ରାଶନ ସାମଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା, ସାପ୍ତାହିକ ହାଟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଦୋକାନବଜାର ଯାଇଥାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା ମୁଖ୍ୟାଳୟ କିମ୍ବା ଦୂରଦୂରାନ୍ତକୁ ଯିବାକୁ ହେଲେ ସେହି ରାସ୍ତା ଉପରେ ନିର୍ଭର କରିବାକୁ ପଡେ। ଗଁାରେ କେହି ରୋଗରେ ପଡିଲେ ଗଁାକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ରୋଗୀଙ୍କୁ ପାଖାପାଖି ଦେଢ କିମି ଖଟିଆରେ ବୋହି ନଦୀ ପାର କଲା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ। କୋମଳମତି ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ର ଯାଇପାରୁ ନ ଥିବାରୁ ପ୍ରାକ୍‌ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟରୁ ବଞ୍ଚତ୍ତ ହେଉଛନ୍ତି। ବର୍ଷା ଦିନରେ ସ୍କୁଲ, କଲେଜ ପିଲା ନଦୀ ପାରି ହୋଇ ଯାଇପାରୁନାହାନ୍ତି ା ଫଳରେ ସେମାନଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଥାଏ। ଗଁାରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ପକ୍କା ରାସ୍ତା ଓ ଘୋଡାଘାଟ ନଦୀରେ ବ୍ରିଜ୍‌ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା ଏହିସବୁ ସମସ୍ୟା ନେଇ ଅନେକଥର ସରପଞ୍ଚଠାରୁ ଆରମ୍ଭକରି ବିଡିଓ ପର୍ଯ୍ୟନ୍ତ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ଏହାର ତଦନ୍ତ କରି ସମସ୍ୟାର ସାମାଧାନ କରାଯିବ ବୋଲି କହିଛନ୍ତି ା

 

Dharitri – Odisha’s No.1 Odia Daily

 

Share