Categories: ଜାତୀୟ

ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ ଦିଲ୍ଲୀରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରବଳ ଥଣ୍ଡା ଡିସେମ୍ବରରେ ଅନୁଭୁତ ହେଉଛି। ଇତିମଧ୍ୟରେ ୫ ଦିନ ପାଇଁ ଶୀତଲହରୀ ପ୍ରବାହିତ ହୋଇଛି। ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଳଦୀପ୍‌ ଶ୍ରୀବାସ୍ତବ କହିଛନ୍ତି ଯେ, ୨୦୧୮ରେ ଶୀତ ଲହରୀ ୮ ଦିନ ହୋଇଥିଲା। ଏଠାରେ ଶନିବାର ନ୍ୟୁନତମ ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିଲା। ଯାହାକି ସାମାନ୍ୟ ତାପମାତ୍ରାଠାରୁ ୩ ଡିଗ୍ରୀ କମ୍‌। ସଫଦରଜଙ୍ଗ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୨୧.୯ ଡିଗ୍ରୀ ରହିଥିଲା। ଏହା ସାମାନ୍ୟ ତାପମାତ୍ରାଠାରୁ ଏକ ଡିଗ୍ରୀ ଅଧିକ ରହିଛି। ସୋମବାର ଆଡ଼କୁ ସାମାନ୍ୟ ତାପମାତ୍ରାରେ ୫ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ଡିସେମ୍ବର ୨୯ରେ ପବନ ବହିବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ପୁଣି କମିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୧, ୧୯୨୯,୧୯୬୧ ଏବଂ ୧୯୯୭ରେ ଦିଲ୍ଲୀର ତାପମାତ୍ରା ଡିସେମ୍ବର ମାସରେ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରହିଥିଲା।

Share