ଦେଢ଼ କୋଟିରୁ ଊର୍ଦ୍ଧ୍ୱ ହଡ଼ପ: ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗିରଫ

ରଘୁନାଥପୁର,୪।୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୧ କୋଟି ୬୨ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ନେଇ ସେପ୍ଟେମ୍ବର ୫ରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନଭେମ୍ବର ୩୦ରେ ଅବସର ନେଇଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମିୟ ମଲ୍ଲିକଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ରାଜକିଶୋର ବେହେରା କହିଛନ୍ତି। ସୂଚନାଯୋଗ୍ୟ, ଏହି ଯୋଜନା ସମ୍ପର୍କରେ ରେଢୁଆ ଅଞ୍ଚଳର ସାମାଜିକ କର୍ମୀ ଗୋବିନ୍ଦ ଓଝା ସୂଚନା ଆଧାର ଆଇନ ଜରିଆରେ ତଥ୍ୟ ମଗାଇଥିଲେ। ଉକ୍ତ ତଥ୍ୟରୁ ଜଣାପଡ଼ିଥିଲା ଯେ,୨୦୧୮-୧୯ରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲା। ମାତ୍ର ଏସବୁ କାର୍ଯ୍ୟରେ ବ୍ୟବହୃତ କିଛି ସାମଗ୍ରୀ ଉପରେ ନକଲି ରସିଦ ଦିଆଯାଇ ଜିଏସ୍‌ଟି ଠକେଇ କରାଯାଇଛି। ଏହାପରେ ସମ୍ପୃକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଲ୍ଲିକଙ୍କ ସମେତ ବିଡିଓ ଏବଂ ଅନ୍ୟ ଯନ୍ତ୍ରୀଙ୍କ ବିରୋଧରେ ଓଝା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ମାମଲା (ନଂ. ୧୬୬/୨୨) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗିରଫ ଭୟରେ ମଲ୍ଲିକ ଫେରାର ହୋଇଯାଇଥିଲେ। ଏସ୍‌ଆଇ ଅନିଲ କୁମାର ସାହୁ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାହ୍ନରେ ଉକ୍ତ ଥାନା ଅନ୍ତର୍ଗତ ଗୁଆଳିପୁର ରେଳ ଷ୍ଟେଶନ ନିକଟରୁ ତାଙ୍କୁ ଗିରଫ କରିଛନ୍ତି। ଏହାପରେ କାହାର ପାଳି ପଡ଼ିବ ସେନେଇ ଚର୍ଚ୍ଚା ଜୋର ଧରିଛି।