ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ ହେଉଥିବା ଯୁଦ୍ଧ ସର୍ବତ୍ର ଶାନ୍ତି ପାଇଁ ବିପଦ ସୃଷ୍ଟି କରିଥାଏ । ୟୁକ୍ରେନ୍ ଓ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷର ପ୍ରଭାବ କେବଳ ସମ୍ପୃକ୍ତ ଦେଶଗୁଡ଼ିକ ମଧ୍ୟରେ ସୀମିତ ନାହିଁ । ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶ, ଅର୍ଥନୀତି ଓ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ୁଛି । ମିଳିତ ଜାତିସଂଘ ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ଚିନ୍ମୟ ଅମୃତ ମହୋତ୍ସବ ଗ୍ଲୋବାଲ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଭାରତର ଆଭିମୁଖ୍ୟ ଦୋହରାଇଛନ୍ତି । ଜୟଶଙ୍କର କହିଛନ୍ତି, ଯୁଦ୍ଧର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଏକମାତ୍ର ମାର୍ଗ । ଭାରତ ନିଜ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଦେଶ ଓ ସହଯୋଗୀଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଆତଙ୍କବାଦକୁ ନେଇ ମଧ୍ୟ କଠୋର ମତ ରଖିଛନ୍ତି ବୈଦେଶିକ ମନ୍ତ୍ରୀ। ରାଷ୍ଟ୍ରନୀତିର ଏକ ଉପାୟ ଭାବେ ଆତଙ୍କବାଦକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ସେ କହିଛନ୍ତି । ଏହାକୁ କୌଣସି ପରିସ୍ଥିତିରେ ଯଥାର୍ଥ ବୋଲି ଦର୍ଶାଯାଇପାରିବ ନାହିଁ । ଆତଙ୍କବାଦ ବିଶ୍ୱ ଶାନ୍ତି ପାଇଁ ଏକ ବଡ଼ ବିପଦ ହୋଇ ରହିଛି । ସମସ୍ତ ଦେଶ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ଏକଜୁଟ ହେବା ଆବଶ୍ୟକ । ରାଜନୈତିକ ଲାଭକ୍ଷତିକୁ ଆତଙ୍କବାଦ ବିରୋଧୀ ପଦକ୍ଷେପଠାରୁ ଅଧିକ ଗୁରୁତ୍ୱ ଦେବା ଉଚିତ୍ ନୁହେଁ ବୋଲି ସେ ଆହ୍ୱାନ ଦେଇଛନ୍ତି ।