ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ଆଳି,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଏକ ଗୋଚର ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ନରେନ୍ଦ୍ରପୁର ଗଁାର କଳାକାର ମଲିକ ଗୋଚର ଜମି ଖାତା ନଂ. ୪୦୯ ଉପରେ ଜବରଦଖଲ ବଢ଼ିବାରୁ ଏହାକୁ ଉଚ୍ଛେଦ ନିମନ୍ତେ ସେ ତହସିଲର ଦ୍ୱାରସ୍ଥ ହୋଇ ନ୍ୟାୟ ନ ପାଇବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନୋଟିସ୍‌ ଅନୁଯାୟୀ, ଗୁରୁବାର ସକାଳେ ଆଳି ତହସିଲଦାର ତପନ ସେନାପତି, ଆଳି ଆଇଆଇସି ଦିଲୀପ ସାହୁଙ୍କ ସମେତ ପୋଲିସ ଫୋର୍ସ ଜବରଦଖଲ ଉଚ୍ଛେଦ କରିଥିଲେ। ଏ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ତହସିଲଦାର ଜବରଦଖଲ ଉଚ୍ଛେଦରେ ପାତରଅନ୍ତର କରୁଛନ୍ତି। ମାତ୍ର ହାତ ଗଣତି କେତେ ଜଣଙ୍କ ଘର ଭାଙ୍ଗିଥିବା ବେଳେ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି। ତହସିଲଦାର ଯଦି କିଛି ଏପଟ ସେପଟ କରନ୍ତି ତେବେ ସେ ନେଇ ସେମାନେ ଉପର କୋର୍ଟ ଯିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ତହସିଲଦାର ସେନାପତିଙ୍କୁ ପଚାରିବାରେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଏହି ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟ ଯେଉଁ ୨୭ ଜଣଙ୍କୁ ନୋଟିସ୍‌ ଲଗାଇଛି ସେମାନଙ୍କ ଘର ହିଁ ଭଙ୍ଗାଯାଇଛି। ସେ ଜବରଦଖଲ ଉଚ୍ଛେଦରେ କୌଣସି ପାତରଅନ୍ତର କରିନାହାନ୍ତି ବୋଲି ସେ କହିଛନ୍ତି।